୪୦ବର୍ଷ ଧରି ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ ।

ଭଞ୍ଜନଗର, ୧୨/୦୩(ପିପିଟି ):ସାରା ବିଶ୍ୱରେ କଳା,ସାହିତ୍ୟ, ସଂସ୍କୃତିକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଭଞ୍ଜମାଟି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବହୁ କାବ୍ୟ କବିତାକୁ ଆଜିବି ବହୁ କବି,ସାହିତ୍ୟିକ ଓ ଲେଖକ ଅନୁସରଣ କରି ତାହାର ସାରାଂଶ ଖୋଜିବାରେ ଲାଗି ପଡ଼ିଛନ୍ତି।ଏହି ମାଟିରେ ଭରି ରହିଛି କଳା ଓ ସାହିତ୍ୟ ପ୍ରତି ଦୁର୍ବଳତା।ତେଣୁ ଏଠାରେ ବହୁ ପୁରାତନ ଲୋକକଳାକୁ ନେଇ ଅନେକ କଳାକାର ବଞ୍ଚି ରହିଛନ୍ତି। ସରକାରଙ୍କ ଶୁଭଦୃଷ୍ଟି ପଡ଼ିଲେ ସେସବୁର ପୁନରୁଦ୍ଧାର ହୋଇ ପାରିବ।
ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ବିଗତ ୪୦ ବର୍ଷ ହେଲା ସ୍ଥାନୀୟ କଳାକାରଙ୍କୁ ନେଇ ମଞ୍ଚ ନାଟକ ପରିବେଷଣ କରାଯାଉଛି।ଚଳିତ ବର୍ଷ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳନ ଅବସରରେ ଧନଞ୍ଜୟ ନଗର ଠାରେ ସ୍ଥାନୀୟ କଳାକାରଙ୍କୁ ନେଇ ୨ଟି ଚର୍ଚ୍ଚିତ ନାଟକ ‘ଜାଲ’ ଓ ‘ଆସନ୍ତା କାଲି ର ସୂର୍ଯ୍ୟ’ ପରିବେଷଣ କରାଯାଇଛି।ଏହାକୁ ରଚନା ଗଙ୍ଗାଧର ବିଷୋୟୀ ଓ ନିର୍ଦ୍ଦେଶନା ଅଭିମନ୍ୟୁ ବିଷୋୟୀ ଦେଇଥିଲେ। ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏଥିରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଶତପଥୀ, ଅନୁଷ୍ଠାନର ସଭାପତି ଗରୀବ ସ୍ୱାଇଁ, ଉପଦେଷ୍ଟା ରୋଟାରିଆନ ରଞ୍ଜିତ କୁମାର ବାରିକ,ସମ୍ପାଦକ କଣ୍ଟୁ ପାଣିଗ୍ରାହୀ ମଞ୍ଚାସୀନ ହୋଇ ଅନୁଷ୍ଠାନ ପକ୍ଷରୁ ବହୁ ବର୍ଷ ଧରି କଳା ପରିବେଷଣ କରିବା ସହ ନୂତନ କଳାକାରଙ୍କୁ ମଞ୍ଚ ନାଟକରେ ସୁଯୋଗ ମିଳୁଥିବାରୁ ସେମାନେ ଆଗାମୀ ଦିନରେ ଅଭିନୟ କ୍ଷେତ୍ରରେ ବେଶ ପ୍ରଶଂସିତ ହୋଇପାରିବେ ବୋଲି କହିଥିଲେ।ନାଟକ ଦେଖିବା ପାଇଁ ୨ଦିନ ଧରି ବହୁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ସମସ୍ତ କଳାକାରଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏଥିରେ ତୋଫାନ କଳା ସଂସଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment