ବାଲିଗୁଡା,୦୯/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରବିବାର ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ତେରଦଣ୍ଡ ଥଳଙ୍କୁ ବରଣ କରାଯାଇ ଥିଲା । ମଧ୍ୟାହ୍ନ ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡରେ ତେର ଦଣ୍ଡନାଚ ରୁଷିପୁତ୍ର ତଥା ଦଣ୍ଡୁଆମାନେ ନିଜ ନିଜ ସ୍ଥାନରେ ପହଁଚି ବୀଣାକାର ଢୋଲ ଓ ମହୁରୀର ତାଳେତାଳେ ଦଣ୍ଡନାଚର ସମସ୍ତ ବିଧିବିଧାନକୁ ସୁଲଳିତ ସ୍ଵରରେ ଗାନ କରିଥିଲେ। ମଧ୍ୟାହ୍ନରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା। ଅପରାହ୍ନରେ ଆଦର୍ଶ ପୁଷ୍କରିଣୀରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେର ଦଣ୍ଡର ଏକ ମହା ମିଳନରେ ଢୋଲିଆ,ପାଟଭୁକ୍ତା, ମହୁରିଆଙ୍କ ମିଳନ ହୋଇଥିବା ବେଳେ ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ । ଏଥିରେ ଯୋଗ ଦେଇଥିବା ତେର ଦଣ୍ଡ ଗୁଡିକ ମଧ୍ୟରେ ବାଲିଗୁଡା,ବାରଖମା, ବାଟାଗୁଡ଼ା,ରେବିଙ୍ଗିଆ, ଋତୁଙ୍ଗିଆ, ମେଲସିକିଆ,କତେରିଭଟ୍ଟା, ଡାକା,ଦଣ୍ଡପଦର,ଶ୍ରୀପଲ୍ଲା, କାଳୀପଙ୍ଗା,କରଣ୍ଡାଗଡ଼ ଓ ସିଟୁପଡି ଗ୍ରାମର ଦଣ୍ଡ ନାଚ ଦଳ ନିଜ ନିଜର ନାଚ ପରିବେଷଣ କରିଥିଲେ । ରାତ୍ରରେ ଝୁଣାଦଣ୍ଡ ପଟୁଆର ସହ ସୋମବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା । ଏଥିରେ ସମିତିର ସଭାପତି ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ମଦନ ମୋହନ ପାଢୀ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧକ୍ଷ ସୁରେଶ ଚନ୍ଦ୍ର ମହାନ୍ତି, ଅଧିକାରୀ ଶିବରାମ ପ୍ରଧାନୀ, ଉପଅଧିକାରୀ ସୁବାଷ ଚନ୍ଦ୍ର କହଁର ଏବଂ ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ, ସୋମନାଥ ପଣ୍ଡା, ଯୋଗେନ୍ଦ୍ର ଜେନାଙ୍କ ସମେତ ସମିତି ର ସମସ୍ତ ସଦସ୍ୟ,ମହିଳା ସଂଘ ଯୁବକ ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରବଳ ଖରା କୁ ଦୃଷ୍ଟି ରେ ରଖି ଟାଉନ ର ବିଭିନ୍ନ ସ୍ଥାନରେ ବେହେରା ଶୁଖୁଆ ବ୍ୟବସାୟୀ ସଂଘ,ସତ୍ୟସାଇ ସେବା ସମିତି ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଷ୍ଟଲ କରି ଦିନ ତମାମ ପଣା ବଣ୍ଟନ କରିଥିବା ବେଳେ ମା ‘ଦକ୍ଷିଣକାଳୀ ହାଟ ବେପାରୀ ସଂଘ ତରଫରୁ ରବିବାର ରାତ୍ରରେ ଅନ୍ନ ବଣ୍ଟନ କରିଥିଲେ । ଏହି ତେର ଶମ୍ଭୁ ଦଣ୍ଡ ନାଚକୁ ଆଖି ଆଗରେ ରଖି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ପୋଷ୍ଟ ଅଫିସ ଛକ ନିକଟରେ ଏକ ଅସ୍ଥାୟୀ ପୋଲିସ କେନ୍ଦ୍ର ଖୋଲିବା ସହ ଟାଉନର ପ୍ରତ୍ୟେକ ଛକ ଓ ଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)