ଭଞ୍ଜନଗର,୦୫/୦୩(ପିପିଟି):କିଛି ଦିନ ହେଲା ଭଞ୍ଜନଗର ସହରରେ ସାଇକେଲ ଚୋରି ବୃଦ୍ଧି ପାଇବା ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଫଳରେ ଭଞ୍ଜନଗର ପୁଲିସ୍ ଏକ ସାଇକଲ ଚୋର ଦଳକୁ କାବୁ କରିବାରେ ସଫଳ ହୋଇଛି। ସହରରେ ଗତ କିଛି ଦିନ ତଳେ ଚାଲିଥିବା ଏକ ମେଳାରୁ ନିୟମିତ ବ୍ୟବଧାନରେ କିଛି ସାଇକଲ ଚୋରୀ ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁରୁଣା ବଜାର ସାହିର ଟି. ନରସିଂହ ରାଓ ତାର ସାଇକଲ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ କେସ୍ ନମ୍ବର ୧୭୩ରେ ଦଫା ୩୭୯,୩୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସାଇକଲ ଚୋରୀ ଘଟଣାରେ ଅଭିଯୁକ୍ତ ଭାବେ ଆକାଶ ମହାନ୍ତି(୨୨),କାହ୍ନା ସାମଲ (୨୫) ଓ ସନ୍ତୋଷ ସାହୁ(୨୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ,ଗତ ୧୬ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ଖେଳ ପଡିଆ ଠାରେ ବାଣିଜ୍ୟ ମେଳା ଚାଲିଥିଲା। ଏଠାରେ ଜନଗହଳିର ସୁଯୋଗ ନେଇ ଅଭିଯୁକ୍ତ ମାନେ ବିଭିନ୍ନ ସମୟରେ ସାଇକଲ ଚୋରୀ କରୁଥିବା ସହ ୨ଟି ସାଇକଲକୁ ବୁଗୁଡା ଅଞ୍ଚଳରେ ଦେଇଥିବା ପୁଲିସ୍ କହିଛି। ଚୋରୀ ଅଭିଯୋଗ ହେବା ପରେ ଏସ୍ଆଇ କେଶବ ଷଢଙ୍ଗୀ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୧୫ଟି ସାଇକଲ ଜବତ କରିଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆଜି କିଛି ସାଇକଲ ମାଲିକଙ୍କୁ ପୁଲିସ୍ ସେମାନଙ୍କ ସାଇକଲ ଫେରାଇଥିବା ଜଣାପଡ଼ିଛି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )