୨୭୩୧ଟି ବୁଥ୍‌ରେ ଶତପ୍ରତିଶତ ଡିଜିଟାଇଜେସନ; ଅବଶିଷ୍ଟ ୩୯୩ଟି ବୁଥ୍‌ରେ ଆଜି ରାତି ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଛତ୍ରପୁର,୨୪/୦୬(ପିପିଟି):ଗଞ୍ଜାମ ଜିଲ୍ଲା ଏକ ଜନବହୁଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାର ମୋଟ ୩,୧୨୪ଟି ମତଦାନ କେନ୍ଦ୍ର ମଧ୍ୟରୁ ୨,୭୩୧ଟି ବୁଥ୍‌ରେ ଶତପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ୩୯୩ଟି ବୁଥ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ କାର୍ଯ୍ୟ ଚାଲିଥିବା ବେଳେ ଆଜି ରାତି ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ)ମାନଙ୍କ ବୈଠକ ଜାରି ରହିଛି। ଅଦ୍ୟାବଧି ଜିଲ୍ଲାର ମୋଟ ୩,୧୨୪ଟି ମତଦାନ କେନ୍ଦ୍ର ମଧ୍ୟରୁ ୧,୩୮୩ଟି ମତଦାନ କେନ୍ଦ୍ରରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆରଓ) ଓ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ)ମାନଙ୍କ ଅଧ୍ୟକ୍ଷତାରେ ବିଏଲଓ-ବିଏଲଏ ବୈଠକ ସମ୍ପନ୍ନ ହୋଇଛି।

ବିଧାନସଭା ନିର୍ବାଚନମଣ୍ଡଳୀ ଭିତ୍ତିକ ତଥ୍ୟ ଅନୁଯାୟୀ ଭଞ୍ଜନଗରରେ ୪୨ଟି,ପୋଲସରାରେ ୧୮୭ଟି, କବିସୂର୍ଯ୍ୟନଗରରେ ୧୦୨ଟି, ଖଲ୍ଲିକୋଟରେ ୩୨ଟି,ଛତ୍ରପୁରରେ ୧୦୧ଟି, ଆସିକାରେ ୧୦୭ଟି, ସୋରଡାରେ ୧୦୯ଟି, ସାନଖେମୁଣ୍ଡିରେ ୫୫ଟି, ହିଞ୍ଜିଳିରେ ୧୮୧ଟି, ଗୋପାଳପୁରରେ ୧୪୮ଟି, ବ୍ରହ୍ମପୁରରେ ୧୦୨ଟି, ଦିଗପହଣ୍ଡିରେ ୧୨୯ଟି ଏବଂ ଚିକିଟିରେ ୮୮ଟି ବୁଥ୍‌ରେ ବିଏଲଓ- ବିଏଲଏ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକଗୁଡ଼ିକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଜନ, ମୃତ, ସ୍ଥାନାନ୍ତରିତ ଏବଂ ଏକାଧିକ ସ୍ଥାନରେ ଥିବା ନାମ ବିଲୋପନ ସହ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରାଯାଉଛି। ଅବଶିଷ୍ଟ ମତଦାନ କେନ୍ଦ୍ରଗୁଡ଼ିକରେ ମଧ୍ୟ ଶୀଘ୍ର ବିଏଲଓ-ବିଏଲଏ ବୈଠକ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ଜନସାଧାରଣଙ୍କୁ ବିଶେଷ ଭାବେ ଅବଗତ କରାଯାଉଛି ଯେ, ଯଦି କୌଣସି ଭୋଟର କୌଣସି କାରଣବଶତଃ ଭୋଟର ତାଲିକାରୁ ବାଦ ପଡ଼ିଯାଇଥାନ୍ତି କିମ୍ବା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଅଧିକ ସୂଚନା ଜାଣିବାକୁ ଚାହୁଁଥାନ୍ତି, ତେବେ ସେମାନେ ତୁରନ୍ତ ନିଜ ଅଞ୍ଚଳର ବିଏଲଓଙ୍କ ସହ ଯୋଗାଯୋଗ କରନ୍ତୁ। ଏହାବ୍ୟତୀତ ଇସିଆଇନେଟ୍ ଆପ୍ ଏବଂ ଟୋଲ୍‌-ଫ୍ରି ନମ୍ବର ୧୯୫୦ର ସହାୟତା ମଧ୍ୟ ନିଆଯାଇପାରିବ। ଇସିଆଇନେଟ୍ ଆପ୍‌ ମାଧ୍ୟମରେ “କଲ୍ ବୁକ୍ କରନ୍ତୁ” ସୁବିଧାର ମଧ୍ୟ ଉପଯୋଗ କରାଯାଇପାରିବ।

୨୮ ଜୁନ ୨୦୨୬ ସୁଦ୍ଧା ବିଏଲଓଙ୍କୁ ପରିଗଣନା ଫର୍ମ ପ୍ରଦାନ କଲେ ସମ୍ପୃକ୍ତ ମତଦାତାଙ୍କ ନାମ ଖସଡ଼ା ଭୋଟର ତାଲିକାରେ ସ୍ଥାନ ପାଇବ। ଏଥିପାଇଁ ଆଉ ମାତ୍ର ଦୁଇ/ତିନି ଦିନ ସମୟ ବାକି ଥିବାରୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଶୀଘ୍ର ବିଏଲଓଙ୍କ ସହ ଯୋଗାଯୋଗ କରି ପରିଗଣନା ଫର୍ମ ଦାଖଲ କରିବାକୁ ଅନୁରୋଧ କରାଯାଇଛି।

ଏହା ସହିତ ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲ୍‌ରୁ ଫର୍ମ ଡାଉନଲୋଡ୍ କରି ପୂରଣ କରିବା ପରେ ଅନଲାଇନ୍‌ରେ ମଧ୍ୟ ଦାଖଲ କରିପାରିବେ।

ସୂଚନାଯୋଗ୍ୟ ଯେ,ଖସଡ଼ା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ। ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଏହାର ନିଷ୍ପତ୍ତି ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା କରାଯିବ ଏବଂ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ସେହିପରି, ୦୧ ଜୁଲାଇ ୨୦୨୭ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବକ ଓ ଯୁବତୀମାନେ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଫର୍ମ-୬ ମାଧ୍ୟମରେ ୦୪ ଅଗଷ୍ଟ ୨୦୨୬ ସୁଦ୍ଧା ଆବେଦନ କରିପାରିବେ।

ଡିଜିଟାଇଜେସନ ଏବଂ ଯାଞ୍ଚ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ତରବରିଆ ଭାବରେ ନ କରି ସ୍ୱଚ୍ଛ,ନିରପେକ୍ଷ ଓ ନିର୍ଭୁଲ ଭାବେ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି।

Comments (0)
Add Comment