ମାଲକାନଗିରି,୨୧/୦୫(ପିପିଟି): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ନିକଟରୁ ପୁଲିସ କାରରୁ ୨୫୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାରି ଜଣଙ୍କୁ ଅଭିଯୁକ୍ତଙ୍କୁ ଗରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ , ଚିତ୍ରକୋଣ୍ଡା ଥାନା ଏସ ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୁଲିସ ଦଳ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ମନ୍ତ୍ରୀପୁଟ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ପୁଲିସ ଏକ ଟାଟା କାର୍ ( ଜେଏଚ ୫ ବି ଜେ ୩୮ ୦୭)କୁ ଅଟକାଇ ଯାଞ୍ଚ କରିବା ପରେ ଭିତରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା । ପରେ ପୁଲିସ , କାର ଓ ଗଞ୍ଜେଇ ଜବତ କରିବା ସହ ଗାଡ଼ିରେ ଥିବା ୪ଜଣଙ୍କୁ କାବୁ କରି ଥାନାକୁ ନେଇଥିଲା । ଜବତ ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା ବୋଲି ପୁଲିସ କହିଛି । ଗଞ୍ଜେଇ ଚାଲାଣ ମାମଲାରେ ବିହାର ରାଜ୍ୟର ସୁଶୀଲ କୁମାର ,ହରେନ୍ଦ୍ର କୁମାର, ବିଜେନ୍ଦ୍ର ସିଂ ଓ ମାଲକାନଗିରି ଜିଲ୍ଲା ଏମଭି -୩୩ ଗ୍ରାମର ପ୍ରକାଶ ସରଦାରଙ୍କୁ ପୋଲିସ ଗିରଫ କରିଛି । ଚିତ୍ରକୋଣ୍ଡା ଥାନାରେ କେଶ୍ ନଂ:୬୨/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)