୨୦୯ ବର୍ଷ ପୂର୍ତ୍ତି ଅବସରରେ ମହାନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କଲେ ଗଡ଼ାଧୀଶ ଦଳ ବେହେରା।

ବୋଲଗଡ଼,୩୦/‍୩(ପିପିଟି):ପରାଧୀନ ଭାରତରେ ଖୋରଧା ଥିଲା ଶେଷ ସ୍ୱାଧୀନ ଦୁର୍ଗ। ଖୋରଧା ଓଡ଼ିଶାର ପ୍ରାଚୀନ ରାଜଧାନୀ ଭାବେ ଇତିହାସ ବିଦିତ। ଖୋରଧା ଗଡ଼ ତାର ବୀରତ୍ବକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। ଏହି ଲାଲ ମାଟି ଜନ୍ମ ଦେଇଛି ବୀର ପୁଙ୍ଗବଙ୍କୁ, ଯେଉଁମାନେ ଏକଦା ଦେଶ ମାତୃକା ପାଇଁ ଆତ୍ମବଳୀ ଦେଇ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ। ଓଡ଼ିଶାର ସମର ପିପାସୁ ଯୁଦ୍ଧଖୋର ଗୋଷ୍ଠୀ ହେଲେ ଓଡ଼ିଆ ପାଇକ। ୧୮୧୭ ମସିହାରେ ବ୍ରିଟିଶର କ୍ରୁର ଶାସନରେ ଅତିଷ୍ଠ ହୋଇ ଖୋରଧାରେ ଆରମ୍ଭ ହୋଇଥିଲା ପାଇକ ମାନଙ୍କର ବିଦ୍ରୋହ। ଏହି ବିଦ୍ରୋହର ମଙ୍ଗ ଧରିଥିଲେ ଖୋରଧାର ପ୍ରଧାନ ସେନାପତି ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ୧୮୧୭ ମସିହା ମାର୍ଚ୍ଚ ୨୯ ତାରିଖରେ ରକ୍ତତୀର୍ଥ ବାଣପୁରର ପଲଟଣ ପଡ଼ିଆରୁ ପାଇକ ବିଦ୍ରୋହର ଶୁଭଶଙ୍ଖ ତୁର୍ଯ୍ୟନାଦ ହୋଇଥିଲା ବକ୍ସି ଜଗବନ୍ଧୁ ଓ ଦେୱାନ କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ। ପାଇକ ବିଦ୍ରୋହ ଘଟିବାର ୨୦୯ ବର୍ଷ ବିତି ଗଲାଣି lଏହି ଦିବସର ଗୁରୁତ୍ୱ ଓ ମହତ୍ତ୍ୱ ଦୃଷ୍ଟିରୁ ସ୍ମରଣଯୋଗ୍ୟ କରିବା ପାଇଁ ଗଡ଼ାଧିଶ ଦଳେଇ ଦଳବେହେରା ମହାସଂଘ ପକ୍ଷରୁ ଜାତୀୟ ରାଜପଥ ପଞ୍ଚ ପାଇକ ଏବଂ ପଲ୍ଲା ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପୁର୍ବକ ପୁଷ୍ପମାଲ୍ୟ ଅର୍ପଣରେ ଏକତ୍ର ହୋଇଥିଲେ ଦଳେଇ ଦଳବେହେରା ଦାୟାଦ। ଏହି ଶ୍ରଦ୍ଧା ସୁମନ ପୁଷ୍ପମାଲ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଭିନ୍ନ ଗଡ଼ରୁ ଆସିଥିବା ୩୦ ରୁ ଉର୍ଦ୍ଧ୍ବ ଦଳ ବେହେରା। କୃଷ୍ଣଚନ୍ଦ୍ର ହରିଚନ୍ଦନ (ଗଡ଼ ଜୟ ମଙ୍ଗଳ), ସୋମ୍ୟ ରଞ୍ଜନ ଛୋଟରାୟ (ଗଡ଼ ରାମଚଣ୍ଡୀ), ସଦାଶିବ ମଙ୍ଗରାଜ (ଗୋଡ଼ାଧର୍ମ ସାଗର),ବିଭୁଦତ ପାହାଡ଼ାସିଂହ (ଗଙ୍ଗାପଡା), ଅମୀୟ କୁମାର ଉଦୟସିଂହ (ଗଡ଼ କାଇପଦର), ପ୍ରଶାନ୍ତ କୁମାର ଦଳ ବେହେରା (ଗଡ଼ ଲୁହାକଟ), ଦୁର୍ଗା ପ୍ରସାଦ ହରିଚନ୍ଦନ (ଗଡ଼ ମାଟିଆପଡ଼ା), ଅଜୟ କୁମାର ମାନଧାତା (ବାଲିହୁଙ୍କା), ସୌକତ ରଞ୍ଜନ ମାଳ ବିହାର (ଗଡ଼ ବଡ଼ପାରି) ପ୍ରମୁଖ ୩୦ ରୁ ଉର୍ଦ୍ଧ୍ବ ଦଳେଇ ଦଳ ବେହେରା ଯୋଗଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment