୨ୟ ଦିନରେ ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତିବାସିନ୍ଦାଙ୍କ ପ୍ରତିବାଦ ଜାରୀ ।

ଭୁବନେଶ୍ୱର,୧୯/୦୧(ପିପିଟି); ବସ୍ତି ଥଇଥାନ ଯୋଜନାରେ କୋଠାଘର ପ୍ରଦାନ ପୂର୍ବରୁ ବଳପୂର୍ବକ ବସ୍ତି ଉଛେଦ ବନ୍ଦ ରଖିବା ଏବଂ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରିବା ଦାବିରେ ଆଜି ୨ୟ ଦିନରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ପ୍ରତିବାଦ ଜାରୀ ରହିଛି। ବିଏସୟୁପି ଯୋଜନାରେ କୋଠାଘର ପାଇନଥିବା ପରିବାରଙ୍କ ଘର ବଳପୂର୍ବକ ଭାଙ୍ଗିବାକୁ ଉଦ୍ୟମ କଲେ ଉଭୟ ବସ୍ତିବାସିନ୍ଦା ଜୀବନକୁ ବାଜି ଲଗାଇ ଏହାର ପ୍ରତିରୋଧ କରିବେ ଏବଂ ସେତେବେଳେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପ୍ରଶାସନ ହିଁ ଦାୟୀ ରହିବେ ମିଳିତ ବସ୍ତି କମିଟିର ସଭାପତି ଦୀନବନ୍ଧୁ ସାହୁ ଜଣାଇଛନ୍ତି। ଏହି ଦୁଇ ବସ୍ତିର ବସ୍ତି ଥଇଥାନ ଯୋଜନାରେ ଯେଉଁ ପରିବାରମାନେ କୋଠାଘର ପାଇ ସାରିଛନ୍ତି ସେମାନଙ୍କ ଘର ୧୮, ୧୯, ୨୦ ଜାନୁଆରୀ ୩ ଦିନ ଧରି ଉଛେଦ କରିବାକୁ ଗତ ୧୫ ଜାନୁଆରୀରେ ବିଏମସି-ବିଡିଏ ପକ୍ଷରୁ ମାଇକ ପ୍ରଚାର କରାଯାଇଥିଲା। ଗତ ନଭେମ୍ବର ମାସରେ ମଧ୍ୟ ଏଭଳି ପ୍ରଚାର କରି ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ବସ୍ତିରେ ପଶି ଘର ପାଇଥିବା କିଛି ଲୋକଙ୍କ ଘର ଭାଙ୍ଗିବା ସହିତ ଆଦୌ ଘର ପାଇନଥିବା ତଥା ବସ୍ତିର ସର୍ବ ପୁରାତନ ଅତି ନିରୀହ ଅସହାୟ ମହିଳା, ଯାହାର ସବୁ ଡକ୍ୟୁମେଣ୍ଟ ଠିକ ଅଛି ଓ ସେ ସମ୍ପୂର୍ଣ୍ଣ ଯୋଗ୍ୟ ହିତାଧିକାରୀ, ସେ କାମକୁ ଯାଇଥିବା ସମୟରେ ତାର ଘରଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଏହି ଘଟଣାକୁ ଦେଖି ବସ୍ତିଭଙ୍ଗା ପ୍ରଚାରରେ ଭୟଭୀତ ହୋଇ ଉଭୟ ବସ୍ତିବାସିନ୍ଦା ମିଳିତ ହୋଇ ପ୍ରତିବାଦ କରିବା ସହିତ ଗତକାଲି ସକାଳ ୯ ଟା ରୁ ଅପରାହ୍ନ ୨.୩୦ମି ପର୍ଯ୍ୟନ୍ତ ଭଙ୍ଗାଳୀ ଦଳକୁ ବସ୍ତିରେ ପୁରାଇ ଦେଇନଥିଲେ। ଏହାପରେ ବହୁ ଆଲୋଚନା ଏବଂ ପ୍ରଶାସନ ପକ୍ଷରୁ କୋଠାଘର ପାଇଥିବା ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଗୋଟିଏ ଘର ମଧ୍ୟ ନଭାଙ୍ଗିବାକୁ ଲିଖିତ ପ୍ରତିଶ୍ରୁତି ଦେବାପରେ କାନ୍ଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନ ୨.୩୦ମି ରୁ ୪.୩୦ମି ଭିତରେ ପ୍ରାୟ ୧୦୦ ଘରର କାନ୍ଥ ଭାଙ୍ଗି ଦେଇଥିଲେ।ସୂଚନାଯୋଗ୍ୟ, ଯେଉଁ ପରିବାରମାନେ କୋଠାଘର ପାଇ ସାରିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ସେମାନଙ୍କ ପୁରୁଣା ଘରର ଆଜବେଷ୍ଟସ, ଝରକା କବାଟ ଖୋଲି ନେଇ ସାରିଛନ୍ତି। କେବଳ କାଂଥ ଗୁଡିକ ଠିଆ ହୋଇଥିଲା। ସେହି କାନ୍ଥ ଗୁଡିକୁ କେବଳ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଛନ୍ତି। ଆଜି ମଧ୍ୟ ଦ୍ଵିତୀୟ ଦିନରେ କୋଠାଘର ପାଇ ସାରିଥିବା ଲୋକଙ୍କ ଘରଭଙ୍ଗା କାର୍ଯ୍ୟ ସକାଳ ୧୦ ଟା ରୁ ଆରମ୍ଭ ହୋଇଛି। ବାକି ସମସ୍ତ ବସ୍ତିବାସିନ୍ଦା ବସ୍ତି ମଧ୍ୟ ଭାଗରେ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିଛନ୍ତି। ଘର ପାଇ ନଥିବା ଲୋକଙ୍କ ଗୋଟିଏ ଘର ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କଲେ ସେମାନେ ତାର କଡା ମୁକାବିଲା କରିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶଯୋଗ୍ୟ, ଏହି ଦୁଇ ବସ୍ତିର ୪୩୧ ପରିବାର ମଧରୁ ବିଏସୟୁପି ଯୋଜନାରେ ମାତ୍ର ୧୭୯ ପରିବାରଙ୍କୁ କୋଠାଘର ପ୍ରଦାନ କରାଯାଇଛି। ବାକି ପରିବାରଙ୍କୁ ବଳପୂର୍ବକ ଉଛେଦ ଉଦ୍ୟମ କରାଯାଇଥିଲା। ସମସ୍ତେ ମିଳିତ ଭାବେ ଏହାର ପ୍ରତିରୋଧ କରିବା ପରେ ପୁଣି ୧୩୭ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ କୋଠାଘର ଯୋଗାଇ ଦେବାକୁ ସେମାନଙ୍କ ଠାରୁ ବିଡିଏ ୧ ଲକ୍ଷ ୨୦ ହଜାର ଟଙ୍କା ଲେଖାଏଁ ଗତ ଡିସେମ୍ବର ୩ୟ ସପ୍ତାହରେ ଡିପୋଜିଟ ନେଇ ୧୫ ଦିନ ଭିତରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ଦିଆଯାଇନାହିଁ। ଆହୁରୀ ଅନେକ ଯୋଗ୍ୟ ହିତାଧିକାରୀ ପରିବାରଙ୍କ ଠାରୁ ଟଙ୍କା ଡିପୋଜିଟ ନିଆଯାଇନାହିଁ। ଗୋଟିଏ ପକ୍ଷରେ ବିଡିଏ, ବିଏମସି, ସିଏଲଟିସି ଅଧିକାରୀ କର୍ମଚାରୀ ଓ ଶାସକ ଦଳର ନେତାଙ୍କ ଭିତରେ ଅସାଧୁ ମେଣ୍ଟ ଜରିଆରେ ଅନେକ ପ୍ରକୃତ ବସ୍ତିବାସିନ୍ଦାଙ୍କୁ ଏହି ଥଇଥାନ ପ୍ରକ୍ରିୟାରୁ ବାଦ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ଭିତିରିଆ ନେଇ ବସ୍ତିରେ ଆଦୌ କେବେ ରହିନଥିବା, ଅଣ ବସ୍ତି ଲୋକ ଏବଂ ବସ୍ତିବାସିନ୍ଦାଙ୍କ ଗାଁରେ ରହୁଥିବା ସମ୍ପର୍କୀୟଙ୍କ ନାମରେ କୋଠାଘର ଆଲଟମେଂଟ ହୋଇଛି କିନ୍ତୁ ଅନେକ ପ୍ରକୃତ ଏବଂ ଗରୀବ ବସ୍ତିବାସିନ୍ଦା ପରିବାରଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହାର ପ୍ରତିବାଦରେ ଫେକ ଆଲଟମେଂଟ ରଦ୍ଦ କରି ବସ୍ତି ଆଇନ ପରିବାର ସଂଜ୍ଞା ଅନୁସାରେ ବସ୍ତିରେ ରହୁଥିବା ସବୁ ବାସିନ୍ଦା ପରିବାରଙ୍କୁ ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ କରିବା ଦାବିରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ପ୍ରତିବାଦ ଜାରୀ ରହିଛି ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରୀ ତୀବ୍ର କରାଯିବ ବୋଲି ମିଳିତ ବସ୍ତି କମିଟି ପକ୍ଷରୁ ପର୍ଶୁରାମ ମହଲା, ପୀତବାସ ବେହେରା, ଶୈଳବାଳା ସାହୁ, ଅନୁରାଧା ନାୟକ, ଜୟ କିଶୋର ଶର୍ମା, ରଜନୀ ପଣ୍ଡା, ଜଗବନ୍ଧୁ ସାହୁ ଆଦି ବସ୍ତିବାସିନ୍ଦା ଜଣାଇଛନ୍ତି।

Comments (0)
Add Comment