୨ମାଙ୍କିଡ଼ିଆଙ୍କୁ ଗୋଡ଼ାଇ କାମୁଡ଼ିଲା ଭାଲୁ ।

ବାଲେଶ୍ୱର,୧୦/୧୦ : ବାଲେଶ୍ୱର ଜିଲା, ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ଅଧୀନ ମାଙ୍କିଡ଼ିଆସାହିର ୪ଜଣ ମାଙ୍କିଡ଼ିଆ ଛତୁ ତୋଳିବାକୁ କୁଲଡିହା ଜଙ୍ଗଲ ଭିତରକୁ ପଶିଥିଲେ । ସେଠାରେ ଲୁଚି ରହିଥିବା ଏକ ଭାଲୁ ତାଙ୍କୁ ଅଚାନକ ଆକ୍ରମଣ କରିବାରୁ ୨ଜଣ ଗୁରୁତର କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମାଙ୍କିଡ଼ିଆ ସମ୍ପ୍ରଦାୟର ମାନ୍ଦୁ ଖେରୁଆଡ଼(୬୦),କାଳିଆ ଖେରୁଆଡ଼(୪୬),ରବି ଖେରୁଆଡ଼(୪୦) ଏବଂ ଆଇବି ଖେରୁଆଡ଼(୪୩) ଆଜି କୁଲଡିହା ନିକଟ ଜଡ଼ାହୁଡ଼ି ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ । ଜଙ୍ଗଲରେ ଛତୁ ସଂଗ୍ରହ କରୁଥିବା ସମୟରେ ହଠାତ ଏକ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ୨ଜଣ ଖସି ପଳାଇଥିବା ବେଳେ ମାନ୍ଦୁ ଓ କାଳିଆ ଭାଲୁ ହାବୁଡ଼ରେ ପଡ଼ି କ୍ଷତାକ୍ତ ହୋଇଛନ୍ତି । ସେମାନଙ୍କ ଜଙ୍ଘ, କାନ୍ଧରେ ଭାଲୁଟି କାମୁଡ଼ି ମାଂସ ଉଠାଇ ଦେଇଛି । ଗଭୀର କ୍ଷତ ସୃଷ୍ଟି ହୋଇ ଏହି ଦୁଇଜଣ ଚିତ୍କାର କରୁଥିବା ଶୁଣି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ଲୋକେ ସେଠାରେ ପହଞ୍ଚି ପାଟିହୁରି କରିବାରୁ ଭାଲୁଟି ସେହି ସ୍ଥାନ ଛାଡ଼ି ଦେଇଥିଲା । ସ୍ଥାନୀୟଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ପ୍ରଥମେ ବରହମପୁର ଏବଂ ପରେ ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments (0)
Add Comment