୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ପ୍ରସ୍ତୁତି ନେଇ ଆଲୋଚନା ।

ଭୁବନେଶ୍ୱର,୨୫/୦୮(ପିପିଟି): ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ତିନିଜଣିଆ ପ୍ରତିନିଧିମଣ୍ଡଳୀ ଆଜି ଖାରବେଳ ଭବନଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କୁ ସାକ୍ଷାତ କରିଥିଲେ । ପ୍ରତିନିଧିମଣ୍ଡଳୀରେ ଏସ୍‌ଓ ଶ୍ରୀ ସୁଧୀର ସିଂହ, ଗାଇଡେଡ୍ ଟ୍ରାନ୍ସପୋର୍ଟ ସ୍ପେସିଆଲିଷ୍ଟ ରଞ୍ଜିଶ କୁମାର ଏବଂ ମ୍ୟାନେଜର୍, ୟୁଏମ୍‌ଆଇ ରୀନା ଆରୋରା ଶ୍ରୀବାସ୍ତବ ରହିଥିଲେ। ଏହି ଅବସରରେ ଆସନ୍ତା ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ର ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠିତ ଜାତୀୟ ସ୍ତରର ପ୍ରମୁଖ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଶାସକ, ଶିଳ୍ପ ନେତୃତ୍ୱ, ଶିକ୍ଷାବିତ୍ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେଇ ସହରୀ ଗମନାଗମନ କ୍ଷେତ୍ରରେ ଉଦୀୟମାନ ପ୍ରବଣତା, ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । “Urban Accessibility and Livability in Digital Age” ବା “ଡିଜିଟାଲ ଯୁଗରେ ସହରୀ ପରିବହନର ସୁଗମତା ଓ ଜୀବନଯାପନର ମାନ” ବିଷୟବସ୍ତୁକୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ସୁଗମ, ସ୍ଥାୟୀ, ସମାବେଶୀ, ପ୍ରଯୁକ୍ତି ଭିତ୍ତିକ ଏବଂ ଜଳବାୟୁ-ସହନଶୀଳ ସହରୀ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।

ଆଲୋଚନା ସମୟରେ ଶ୍ରୀମତୀ ପାଢ଼ୀ ଏକ ସୁସମନ୍ୱିତ ଓ ପ୍ରଭାବଶାଳୀ ୟୁଏମ୍‌ଆଇ ସମ୍ମିଳନୀ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ ରାଜ୍ୟର ସହରୀ ଗମନାଗମନ କ୍ଷେତ୍ରରେ ରୂପାନ୍ତରଣମୂଳକ ଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ । ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥା, ପରିବହନ କ୍ଷେତ୍ରର ବିଦ୍ୟୁତୀକରଣ, ଅଣ-ମୋଟରଚାଳିତ ପରିବହନ ପଦକ୍ଷେପ, ସ୍ମାର୍ଟ ସହରୀ ଭିତ୍ତିଭୂମି ଏବଂ ସ୍ଥାୟୀ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଭଳି କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପଗୁଡ଼ିକୁ ଏହି ଅବସରରେ ପ୍ରଦର୍ଶିତ କରାଯାଇପାରିବ ।

ବୈଠକରେ କାର୍ଯ୍ୟକ୍ରମ ପ୍ରସ୍ତୁତିର ବିଭିନ୍ନ ଦିଗ ଯଥା ସମ୍ମିଳନୀ ସ୍ଥଳର ବ୍ୟବସ୍ଥା, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ପାଭିଲିୟନ୍, ପ୍ରତିନିଧିମାନଙ୍କ ରହଣି ଓ ଯାତାୟାତ, ସ୍ଥାନୀୟ ପରିବହନ ବ୍ୟବସ୍ଥା, ପ୍ରୋଟୋକଲ, ସୁରକ୍ଷା ଓ ନିରାପତ୍ତା ଏବଂ ବୈଷୟିକ ସ୍ଥଳ ପରିଦର୍ଶନ ଆଦି ନେଇ ଆଲୋଚନା ହୋଇଥିଲା । ବୈଷୟିକ ଅଧିବେଶନ ଓ ପ୍ରଦର୍ଶନୀରେ ଓଡ଼ିଶାର ସହରୀ ଗମନାଗମନ କ୍ଷେତ୍ରର ବିଭିନ୍ନ ପଦକ୍ଷେପ ଓ ଶ୍ରେଷ୍ଠ ପ୍ରଚଳନଗୁଡ଼ିକୁ ସାମିଲ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ଦ୍ୱାରା ଅଂଶଗ୍ରହଣକାରୀମାନେ ନାଗରିକ-କୈନ୍ଦ୍ରିକ ଗମନାଗମନ ସମାଧାନ ବିକଶିତ କରିବାରେ ଓଡ଼ିଶାର ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇପାରିବେ ।

ଶ୍ରୀମତୀ ପାଢ଼ୀ ସମ୍ମିଳନୀର ସୁଚାରୁ ଆୟୋଜନ ପାଇଁ MoHUA, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସମ୍ପୃକ୍ତ ସମସ୍ତ ରାଜ୍ୟ ସରକାରୀ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ଦିଗର ଫଳପ୍ରଦ ଯୋଜନା ପ୍ରସ୍ତୁତି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଯୁଗ୍ମ ସମନ୍ୱୟ ବ୍ୟବସ୍ଥା ଓ କମିଟି ଗଠନ କରାଯିବା ନେଇ ଆଲୋଚନା ହୋଇଥିଲା ।

ଆଗାମୀ ସପ୍ତାହଗୁଡ଼ିକ ପାଇଁ ପ୍ରସ୍ତୁତିର ରୋଡମ୍ୟାପ୍ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ । ବିଶେଷକରି ପ୍ରମୁଖ ଲଜିଷ୍ଟିକ୍, ବୈଷୟିକ ଓ ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ଓଡ଼ିଶାକୁ ଏହାର ସହରୀ ଗମନାଗମନ କ୍ଷେତ୍ରର ବିଭିନ୍ନ ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରିବା ସହିତ ଭବିଷ୍ୟତର ସ୍ଥାୟୀ, ସୁଗମ ଓ ଜୀବନଯାପନ ଉପଯୋଗୀ ସହର ଗଠନ ଦିଗରେ ଜ୍ଞାନ ଆଦାନପ୍ରଦାନ ଓ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ବୈଠକରେ ଅତିରିକ୍ତ ସଚିବ-ତଥା-ଜିଏମ୍‌, CRU ସାହେଦେବ ସମାଧିଆ, ଯୁଗ୍ମ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶ୍ରୀମତୀ ମମତାରାଣୀ ନାଏକଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment