ଜଗନ୍ନାଥ ପ୍ରସାଦ,୧୫/୦୯(ପିପିଟି): ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ତାଳଖମଣ, ମଣ୍ଡାପଥର ଓ ଡାଙ୍ଗିଭୁଇଁ ଗ୍ରାମର ଅଧିବାସୀ ଆଜି ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନଶୁଣାଣୀରେ ୩ ଖଣ୍ଡ ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଏବଂ ଡାଙ୍ଗିଭୁଇ ଗ୍ରାମବାସୀ ଉପସ୍ଥିତ ରହି ପ୍ରଶ୍ନ କରିଥିଲେ। ୧୮ମାସ ତଳେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆମ ୩ଖଣ୍ଡ ଆଦିବାସୀ ଗାଁକୁ ରାସ୍ତା, ବିଜୁଳି ଆଲୁଅ ଏବଂ ପାନୀୟଜଳ ଆଉ କେବେ ମିଳିବ। ଆମକୁ ବିକାଶ ଧାରାରେ ଆଉ କେତେ ବର୍ଷ ପରେ ସାମିଲ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ବର୍ଷ ହୋଇଥିବା ଅନ୍ୟାୟର ପ୍ରତିବାଦରେ ୮ ଦିନ ଧରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଗଣଧାରଣା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୫୭୧/ ତା ୦୪.୦୩.୨୦୨୪ରେ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ରାସ୍ତା ଓ କୋଠାବାଡି କାମ ୨ ମାସରେ, ବିଦ୍ୟୁତ ସଂଯୋଗ ୩ ମାସ ମଧ୍ୟରେ ଓ ପାନୀୟ ଜଳ ବ୍ୟବସ୍ଥା ୧୫ ଦିନ ମଧ୍ୟରେ ହେବ । ଏ ମଧ୍ୟରେ ୧୮ ମାସ ବିତିଯାଇଛି, ଅନେକ ଥର ଗୋଷ୍ଠି ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସାମାନ୍ୟତମ କାମରେ ଅଗ୍ରଗତି ହୋଇନାହିଁ । ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଆମ ପ୍ରତି ଅବହେଳା କରିଥଲେ । ଏଣୁ ପରିବର୍ତ୍ତନ ପାଇଁ ଡବଲ ଇଞ୍ଜିନ ବିଜେପି ସରକାରଙ୍କୁ ଭୋଟ ଦେଇ ଜିତାଇ ଆଣିଥିଲୁ । ମୂଖ୍ୟମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତି ଆଦିବାସୀ ସମାଜରୁ ହେବା ପରେ ରାସ୍ତା,ବିଜୁଳି ଆଲୁଅ, ପାନୀୟଜଳ ପାଇବାର ଆଶ ସଂଚାର ହୋଇଥିଲା କିନ୍ତୁ ଆଦିବାସୀ ୩ ଖଣ୍ଡ ଗାଁର ମୈଳକ ଆବଶ୍ୟକତା ପୂରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହେବାକୁ ନେଇ ଆଦିବାସୀ ସମାଜ କ୍ଷୋଭ ପ୍ରକାଶ କରିଥିଲେ। ପୁଣି ଥରେ ଅତିରିକ୍ତ ଜିଲ୍ଲାପାଳ ଅତିଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶ୍ଵାସନା ଦେଇଛନ୍ତି।ଜଗନ୍ନାଥପ୍ରସାଦ ବ୍ଳକର କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ମନରେଗା ଏବଂ ଦାଦନ ଖଟୁଥିବା ଶ୍ରମିକମାନଙ୍କ ପଞ୍ଜିକରଣ ଓ ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବହୁ ଅବହେଳାର ଶିକାର ହେଉଥିବା ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଜନଶୁଣାଣୀ ରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜଗନ୍ନାଥପ୍ରସାଦ ଠାରୁ ବ୍ରହ୍ମପୁର ପ୍ରାୟ ୧୦୦ କିଲୋମିଟର କିନ୍ତୁ ଶ୍ରମ ଅଧିକାରୀ ପ୍ରାୟତଃ ବ୍ରହ୍ମପୁର ଜିଲ୍ଲା କାର୍ଯ୍ୟାଳୟରେ ରହି କାର୍ଯ୍ୟ ସଂପାଦନ କରୁଥିବାରୁ ଏହି ଅଞ୍ଚଳର ଶ୍ରମିକଙ୍କ ପଞ୍ଜିକରଣ,ଶିକ୍ଷା ସହାୟତା,ବିବାହ ସହାୟାତା ଏବଂ ମୃତ୍ୟୁକାଳୀନ ସହାୟତା ପାଇବା କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ବର୍ଷ ବର୍ଷ ଲାଗୁଛି । ଆବେଦନର ୬୦ ଦିନରେ ମୃତ୍ୟୁକାଳୀନ ସହାୟତା ରାଶି ଉତରାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିୟମ ଥିବା ସତ୍ୱେ ଏହାର ଅବମାନନା ହେଉଛି । ଆଦିବାସୀ,ଦଳିତ ଓ ଆର୍ଥିକ ଦୁର୍ବଳ ବର୍ଗର ଶ୍ରମିକମାନେ ଅଯଥାରେ ବ୍ରହ୍ମପୁର ଯାଇ ଆର୍ଥିକ, ଶାରିରୀକ ଓ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି । ଶ୍ରମିକଙ୍କ ଆର୍ଥିକ ଅଭାବର ସୁଯୋଗ ନେଇ ମାଲିକ ଓ ଠିକାଦାରମାନେ ଅତି ମାତ୍ରାରେ ଶ୍ରମ ଶୋଷଣ କରୁଛନ୍ତି ବୋଲି ଜଣାଇଛନ୍ତି। ସରକାରଙ୍କ ନିର୍ଦ୍ଦାରିତ ସର୍ବନିମ୍ନ ମଜୁରୀ ପାଇବାରୁ ଶ୍ରମିକମାନେ ବଞ୍ଚିତ ହେଉଛନ୍ତି । ଶ୍ରମବିଭାଗ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଶ୍ରମିକମାନଙ୍କ ଆର୍ଥିକ ଉନ୍ନତି ହେବା ସହ ଦାଦନ ଶ୍ରମିକ ହେବାରେ ରୋକ ଲାଗିପାରିବ ବୋଲି ଜଣାଇଥିଲେ। ସର୍ବନିମ୍ନ ମୌଳିକ ଆବଶ୍ୟକତା ରାସ୍ତା, ପାନୀୟଜଳ,ବିଜୁଳି ଆଲୁଅ,ଶିକ୍ଷା, ମୋବାଇଲ ନେଟୱାର୍କର ବ୍ୟବସ୍ଥାର ସମସ୍ୟା ଜର୍ଜରିତ ଉପାନ୍ତ ଅଞ୍ଚଳ ଗାୟଗଣ୍ଡା,ଋଢ଼ାପଦର,ତାରସିଂ, କୋକଳବା ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଆବେଦନ କରି ୧୦ ମାସରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ଶ୍ରମିକଙ୍କ ଅନୁମୋଦନ ହେନଥିବାରୁ ସଠିକ ସମୟରେ ପଞ୍ଜିକରଣ ହୋଇ ନପାରି ସାମାଜିକ ସୁରକ୍ଷାରୁ ନିର୍ମାଣ ଶ୍ରମିକମାନେ ବଞ୍ଚିତ ହେଉଛନ୍ତି ଏବଂ ୯୦ ପ୍ରତିଶତ ଛାତ୍ର ଛାତ୍ରୀ ନିର୍ମାଣ ଶ୍ରମିକ ଶିକ୍ଷାବୃତ୍ତି ସୁଯୋଗରୁ ବଞ୍ଚିତ ହୋଇ ଅଧାରୁ ପାଠପଢ଼ା ବନ୍ଦ କରୁଛନ୍ତି । ଏହି ଅଞ୍ଚଳର ନିର୍ମାଣ ଶ୍ରମିକଙ୍କ ଭବିଷ୍ୟତ ଉଜ୍ଜଳ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କଲେ କଲ୍ୟାଣବୋର୍ଡ ପ୍ରତି ଅଧିକ ଆସ୍ଥା ସୃଷ୍ଟି ହୋଇପାରିବ ବୋଲି ଆଦିବାସୀ ଭାରତ ମହାସଭା ନେତା ଟୁନା ମଲ୍ଲିକ, ପୂର୍ଣଚନ୍ଦ୍ର ପ୍ରଧାନ,ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ସଭାନେତ୍ରୀ ପି ପାର୍ବତୀ, ସଂପାଦକ ରାମଚନ୍ଦ୍ର ବାଡତ୍ୟା, କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସଂପାଦକ ଶଙ୍କର ଇନକିଲାବ,ପ୍ରଭାବ ଜାନି, କାର୍ତ୍ତିକ ପ୍ରଧାନ,ଯଶୋବନ୍ତ ଜାନି ଆଦି ଶତାଧିକ ଆଦିବାସୀ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ।