ମାଲକାନଗିରି, ୨୩/୧୦(ପିପିଟି): ଓଡ଼ିଶା ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ତଥା ବିରଳ ଚିକିତ୍ସା ସଫଳତା ହାସଲ କରିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ତତ୍ପରତା ଯୋଗୁଁ ଜଣେ ୧୭ ବର୍ଷୀୟା ଆଦିବାସୀ ଯୁବତୀଙ୍କ ପେଟରୁ ସଫଳତାର ସହ ପ୍ରାୟ ୨୦ କିଲୋଗ୍ରାମ ଓଜନର ଏକ ଅତ୍ୟନ୍ତ ଜଟିଳ ଓଭାରିଆନ୍ ସିଷ୍ଟ ଅପସାରିତ କରାଯାଇଛି। ଏହି ସଫଳ ଅସ୍ତ୍ରୋପଚାର ଫଳରେ ପଡ଼ୋଶୀ ଛତିଶଗଡ଼ କାଙ୍କେର ଜିଲ୍ଲା ବାଙ୍ଗାବାଡି ଅଞ୍ଚଳର ଆଦିବାସୀ ଯୁବତୀ ତୁଳସୀ ସୋଡି ମୃତ୍ୟୁମୁଖରୁ ବର୍ତ୍ତି ନୂତନ ଜୀବନଦାନ ପାଇଛନ୍ତି।
ସୂଚନାଯୋଗ୍ୟ ଯେ, ତୁଳସୀ ଦୀର୍ଘ ଦିନ ଧରି ଅସହ୍ୟ ଶାରୀରିକ ଯନ୍ତ୍ରଣା ଭୋଗୁଥିଲେ। ବିଷୟଟି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ନଜରକୁ ଆସିବା ପରେ କୌଣସି ବିଳମ୍ବ ନକରି ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ସପନ କୁମାର ଡିଣ୍ଡାଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲିଷ୍ଟ ମେଡିକାଲ ଟିମ୍ ଅତ୍ୟନ୍ତ ସତର୍କତାର ସହ ଏହି ଜଟିଳ ଓ ବିପଜ୍ଜନକ ଅସ୍ତ୍ରୋପଚାରକୁ ସଫଳ କରିଥିଲେ। ସଫଳ ସର୍ଜରୀ ପରେ ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ଥିର ଅଛନ୍ତି।ଏହି ସଫଳତା ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅପାନ୍ତକୃତ ଓ ଦୁର୍ଗମ ଅଞ୍ଚଳରେ ଶ୍ରେଷ୍ଠ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମ ପ୍ରଶାସନର ମୁଖ୍ୟ ସଂକଳ୍ପ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ସପନ କୁମାର ଡିଣ୍ଡା ଏବଂ ସମଗ୍ର ମେଡିକାଲ ଟିମ୍ ଯେଉଁ ନିଷ୍ଠା, ଆନ୍ତରିକତା ଓ ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ କରି ୧୭ ବର୍ଷୀୟା ଯୁବତୀଙ୍କୁ ନୂତନ ଜୀବନ ଦେଇଛନ୍ତି, ତାହା ଅତ୍ୟନ୍ତ ଗୌରବର ବିଷୟ। ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହି ଚିକିତ୍ସା ସଫଳତା ଆହୁରି ସୁଦୃଢ଼ କରିବ।ସୀମାନ୍ତ ଅଞ୍ଚଳରେ ଥାଇ ମଧ୍ୟ ସରକାରୀ ହସ୍ପିଟାଲରେ ଏଭଳି ବିରଳ ଓ ଜଟିଳ ଚିକିତ୍ସା ସେବା ସଫଳତାର ସହ ଯୋଗାଇ ଦିଆଯିବା ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏହି ସଫଳ ରୂପାନ୍ତରଣ ଏବଂ ପ୍ରଶାସନର ତତ୍କାଳ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରୁ ଉଚ୍ଛ୍ରସିତ ପ୍ରଶଂସା କରାଯାଉଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)