୧୭ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ କଲେ ।

ବାଲିଗୁଡା,୦୯/୦୫(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ମଙ୍ଗଳବାର ୧୭ ଦିନରେ ମା’ ମାନଙ୍କର ଘଟକୁ ଆଜି ସୁସଜିତ କରାଯାଇଛି । ଏଥିରେ ଦେଶୀବେହେରା ଭାବେ ଏ.ସନ୍ତୋଷ କୁମାର ଦୋରାଙ୍କ ପରିବାରର ସମସ୍ତେ ଉପସ୍ଥିତ ରହି ଯଥାରିତି ସହକାରେ ପୁଜାର୍ଚ୍ଚନା କରାଯାଇଥିଲା। ମଙ୍ଗଳବାର ସକାଳ ଆଳତୀ ପରେପରେ ସୁନାପାଙ୍ଗା ସାହି ବାସିନ୍ଦା ଏକ ବିରାଟ ପଟୁଆର ରେ ଆସି ସମସ୍ତ ଦେବୀ ମାନଙ୍କୁ ବରଣ କରି ଥିଲେ । ମା’ ମାନଙ୍କ ଆଗମନକୁ ଆଖି ଆଗରେ ରଖି ସୁନାପାଙ୍ଗା ସାହି ପୂଜା କମିଟି ତରଫରୁ ସାହି ତଥା ଯାତାୟାତ ଜନସାଧାରଣଙ୍କ ଉଦେଶ୍ୟରେ ସୁସ୍ୱାଦ ପଣା, ହାଲୁଆ ଓ କନିକା ଭୋଗ ବଣ୍ଟନ କରିଥିଲେ । ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଉଛନ୍ତି । ସନ୍ଧ୍ୟା ଆଳତୀ ପରେ ମଙ୍ଗଳବାର ୧୩ ଦିନ ପରିକ୍ରମା ରେ ମା’ ସୁନାପାଙ୍ଗା ସାହି କୁ ନଗର ପରିକ୍ରମା କରିଥିଲେ । ପ୍ରତିଦିନର ନଗର ପରିକ୍ରମା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବିଭିନ୍ନ ପ୍ରକାର ଷ୍ଟଲ କରାଯାଇଛି । ତତ ସଙ୍ଗେ ସଙ୍ଗେ ମା’ଙ୍କ ଅସ୍ଥାୟୀ ବରାଳ ଦେବୀ ମନ୍ଦିର ନିକଟରେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ସଂଘର୍ଷ ର ନାଟକ “ଲବକୁଶ ଜନ୍ମ” ପରିବେଷଣ ହୋଇ ଥିବା ବେଳେ ମିନିଷ୍ଟାଡିୟମ ପରିସରରେ ଭୁବନେଶ୍ୱର ର ଅମିତ ଡ୍ୟାନ୍ସ ଗ୍ରୁପ ଓ ବ୍ରହ୍ମପୁର ଅଞ୍ଚଳର ଆନ୍ନା କମେଡି ହଜାର ହଜାର ଦର୍ଶକଙ୍କୁ ବେଶ ମତୁଆଲା କରିବା ସହ କାର୍ଯ୍ୟକ୍ରମ ମଧ୍ୟ ବେଶ ଆକର୍ଷଣୀୟ ହୋଇପାରିଥିଲା । ମଙ୍ଗଳବାର ର ପଟୁଆରରେ ବ୍ୟାପକ ଆତସବାଜ଼ି ଫୁଟାଇବା ସହ ବାରଖମା ର ଆକର୍ଷଣୀୟ ବାଜା ପଟୁଆର, ଦୁଲଦୁଲି ବାଜା,ନଦିୟା କୀର୍ତ୍ତନ, ଝୁଣା ଖେଳ, ଘଣ୍ଟ ବାଦ୍ୟ,ଚାଙ୍ଗୁ ବାଜା,ନିଶାନ ବାଦ୍ୟ ଏବଂ ଉକ୍ତ ସାହିର ବହୁ ଶିଶୁ ତଥା ଯୁବ କଳାକାର ବିଭିନ୍ନ ବେଶହୋଇ ପରିକ୍ରମା କରିବା ସବୁଠାରୁ ବେଶ ଆକର୍ଷଣୀୟ ହେବା ସହ ଅନେକ ପଟୁଆର ସାମିଲ ଥିଲେ । ୧୭ ଦିନରେ ମା ‘ଙ୍କ ୧୩ ତମ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆର ରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ ଛକ,ବନ୍ଧସାହି ଛକ,ସାଇ ମନ୍ଦିର ଛକ ଦେଇ ସୁନାପାଙ୍ଗା ସାହି ଅଞ୍ଚଳରେ ମା’ପ୍ରବେଶ କରିବା ପରେ ସାହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ସମ୍ମୁଖରେ କୁମ୍ଭ,ଦୀପ,ଧୂପ, ଫୁଲ,ଚନ୍ଦନ ଓ ଭୋଗ ରଖି ପୂଜାର୍ଚ୍ଚନା କରିବା ପରେ ସାହିର ମଧ୍ୟ ଭାଗରେ ଏକ ଅସ୍ଥାୟୀ ପୂଜନ ସ୍ଥଳରେ ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚନା କରିଥିଲେ । ଏଥିରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ,ମା’ଦୁର୍ଗା, ମହାମାୟୀ,ଡେଙ୍ଗଶୀଳ ଏବଂ ମା’କାଳୀଙ୍କ ଘଟ ଏହି ଯାତ୍ରାରେ ମିଳିତ ଭାବରେ ଯାଉଛନ୍ତି । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି । ୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ଯାତ୍ରାରେ ପୂଜକ ମାନେ ନିଜ ନିଜ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment