ରାୟଗଡା,୧୬/୦୯(ପିପିଟି); ଶନିବାର ଦିନ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିବା ଏକ ଟ୍ଯାଙ୍କର(ଏନଏଲ ୦୩ଏ ୫୬୯୫)କୁ ରାୟଗଡା ଲାଡା ନିକଟରେ ଆରଟିଓ ପକ୍ଷରୁ ଯାଞ୍ଚ ସମୟରେ ଗାଡିର କାଗଜପତ୍ର ନଥିବାରୁ ଅଟକ ରଖିଥିଲେ । ସୋମବାର ସକାଳୁ ଟ୍ଯାଙ୍କର ଭିତରକୁ ଗଞ୍ଜେଇ ବାସ୍ନା ହେବ ପରେ ଆରଟିଓ କତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ ।ରାୟଗଡା ଥାନା ଏସଆଇ ସୌମ୍ଯ ରଞ୍ଜନ ପତି ଆରଟିଓ କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ କରିବା ପରେ ସନ୍ଧ୍ୟାରେ ଟ୍ଯାଙ୍କର ସହିତ ଡ୍ରାଇଭରକୁ ଥାନାକୁ ନେଇଥିଲେ । ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ ସୁନୀଲ ଖରାଙ୍କ ଉପସ୍ଥିତିରେ ପୁଲିସ ଟ୍ଯାଙ୍କର ଭିତରୁ ଗଞ୍ଜେଇ ବାହାର କରି ଓଜନ କରିଥିଲା । ଓଜନ ପରେ ୧୬୧୮ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହବେ ବୋଲି କୁହାଯାଉଛି । ଡ୍ରାଇଭର ରାମ କୁମାର ଓରଫ ଶିବ ଶଙ୍କର କୁମାର ଯାଦବ କହିବା ମୁତାବକ ଟ୍ଯାଙ୍କରକୁ ବିଜୟୱାଡାରେ କିଛି ବ୍ଯକ୍ତି ଅଟକାଇ ପାର୍ସଲ ଗୁଡିକୁ ବିହାରର ପାଟନା ନେବା ପାଇଁ କହିଥିଲେ ଏବଂ ସେମାନେ ଡ୍ରାଇଭରକୁ ୧୦ ହଜାର ଟଙ୍କା ଦେଇଥିଲେ । ପୁଲିସ ଡ୍ରାଇଭର ମନିପର୍ସରୁ ୭ ହଜାର ଟଙ୍କା ଜବତ କରିବା ସହ ଡ୍ରାଇଭରକୁ କୋର୍ଟ ଚାଲାଣ କରିଛି । (ରିପୋର୍ଟ – ନବୀନ ନାୟକ ବେହେରା ।)