୧୫୦ ମିଲିସିଆ ଆତ୍ମସମର୍ପଣ କଲେ,ପୋଡିଲେ ମାଓ ସାମଗ୍ରୀ ।

ମାଲକାନଗିରି,୨୨/୦୮(ପିପିଟି): ସଫଳ ହେଉଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ଏକା ସାଙ୍ଗରେ ଆତ୍ମସମର୍ପଣ କଲେ ୧୫୦ ରୁ ଉର୍ଦ୍ଧ୍ବ ମିଲିସିଆ ମାଓବାଦୀ । ଆତ୍ମସମର୍ପଣ ସହ ମାଓ ପୋଷାକ ଓ ପୁସ୍ତକ ପୋଡିଲେ ଖୋଦ ମାଓ ସମର୍ଥକ । କାମ କଲା ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି ଲାଲ ଗଡ଼ । ମାଲକାନଗିରି ଜିଲ୍ଲାକୁ ବିଏସଏଫ ଯବାନ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ଭୟ । ଏବେ ଏଠାକାର ଲୋକେ ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି । ସୁରକ୍ଷା ବହିନୀଙ୍କ କୁମ୍ବିଙ୍ଗ ଯୋଗୁଁ ମାଓ ସମର୍ଥକ ମାନେ ମାଓ ସମର୍ଥନ ଛାଡି ଆତ୍ମସମର୍ପଣ କରିବାକୁ ଆରମ୍ଭ କଲେଣି । ତେବେ ଆଜି ପୁଣି ଆତ୍ମ ସମର୍ପଣ କରିଛନ୍ତି ୧୫୦ ରୁ ଉର୍ଦ୍ଧ ମାଓ ସମର୍ଥକ।
ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ, ଗୁରୁପ୍ରିୟା ସେତୁ ହେବା ପରେ ପରିବର୍ତ୍ତନର ସ୍ଵାଦ ଚାଖୁଛନ୍ତି ସ୍ଵାଭିମାନି । ଦିନ ଥିଲା ଏଠି ଲାଲବାହିନୀର ଲାଲ ଆତଙ୍କରେ ପେଷି ହେଉଥିଲେ ସ୍ଵାଭିମାନି । ସେଠାରେ ଚାଲୁଥିଲା ଲାଲ ବାହିନୀଙ୍କ ନାଲି ଆଖି ଶାସନ ସହ ପ୍ରଜାକୋର୍ଟର ନିୟମ। ବିଏସଏଫ ଓ ରାଜ୍ୟ ପୋଲିସର ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ପଛଘୁଞ୍ଚା ଦେଲେଣି ଲାଲ ବାହିନୀ । କେବଳ ସ୍ଵାଭିମାନ ଅଞ୍ଚଳରେ ୭ ଟି ବିଏସଏଫ କ୍ୟାମ୍ପ ହୋଇଥିବା ବେଳେ ବିଏସଏଫ ଓ ଓଡିଶା ପୋଲିସର ଘନ ଘନ କୁମ୍ବିଙ୍ଗ ଅପରେସନ ଲାଲ ବାହିନୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ତେଣୁ ଆଜି ଜାନବାଇ ଗ୍ରାମ ଠାରେ ରାଲେଗେଡା ଓ ଧୂଳିପୁଟ ପଞ୍ଚାୟତର ୧୫୦ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଯେଉଁ ପଡିଆରେ ଦିନେ ମାଓବାଦୀ ମାନେ ବସି ବୈଠକ ଓ ପ୍ରଜାକୋର୍ଟ କରୁଥିଲେ ସେହି ସ୍ଥାନରେ ଆତ୍ମ ସମର୍ପଣ କରିବା ସହ ମାଓ ମିଲିସିଆ ନିଜ ମାଓ ପୋଷାକ ପୋଡିଥିଲେ ଏବଂ ମାଓ ବିରୋଧୀ ନାରା ଦେଇଥିଲେ । ଆଉ କେବେ ମଧ୍ୟ ମାଓ କାର୍ଯ୍ୟକଳାପରେ ସାମିଲ ହେବେ ନାହିଁ କି ମାଓବାଦୀଙ୍କୁ ସାହାଯ୍ୟ କରିବେ ନାହିଁ ବୋଲି ଶପଥ ନେଇଥିଲେ ।ମାଓ ସମର୍ଥନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ସେହି ମାଓ ମିଲିସିଆ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜନ କରାଯିବ । ଏହା ବ୍ୟତୀତ ଗ୍ରାମବାସୀ ମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ରହି ଥିବା କଥା ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ପ୍ରକାଶ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ଧୀରେ ଧୀରେ ଭୁଷୁଡୁଛି ମାଓ ଗଡ଼ ଓ ସ୍ଵାବଲମ୍ବୀ ହେଉଛନ୍ତି ସ୍ଵାଭିମାନି ବୋଲି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନୀ କହିଛନ୍ତି। ଏହି ଅବସରରେ ଚିତ୍ରକୋଣ୍ଡା ତହସିଲଦାର ପଦ୍ମନାଭ ଦୋରା, ବିଏସଏଫ କମାଣ୍ଡେଣ୍ଟ ବିନୋଦ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment