୧୫୦ କେଜି ଗଞ୍ଜେଇ ଜବତ,୨ ଗିରଫ ।

ମାଲକାନଗିରି,୨୦/୦୬(ପିପିଟି):ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଓ ବୈପାରିଗୁଡା ରାସ୍ତା ମଧ୍ୟରେ ସପ୍ତଧାରା ବ୍ରିଜ଼ ନିକଟରେ ମାଥିଲି ପୋଲିସ ଦ୍ଵାରା ପେଟ୍ରୋଲିଂ କରୁଥିବା ବେଳେ ଓଡ଼ି ୨୪ ଇ ୮୭୩୩ ନମ୍ବର ବିଶିଷ୍ଟ ଏକ ମରୁତି ସୁଜୁକି କାର ରେ ଦୁଇଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ଦେଖି ମାଥିଲି ପୋଲିସ ଟିମ୍ ଉକ୍ତ କାରକୁ ଅଟକାଇ ଯାଞ୍ଚ ବେଳେ ଉକ୍ତ ଗାଡି ମଧ୍ଯରୁ ୬ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ।ଅଭିଯୁକ୍ତ ମାନେ ଖଇରପୁଟ ବ୍ଲକ ମାଡ଼କାପଦର ଗ୍ରାମରୁ ଗଞ୍ଜେଇ କିଣି ନୂଆପଡା ଜିଲ୍ଲା ଆଡକୁ ନେଉଥିଲେ । ୬ ପ୍ୟାକେଟ୍ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ସମୁଦାୟ ୧୫୦ କେଜି ୪୮୦ ଗ୍ରାମ ଗଞ୍ଜେଇ ରହିଥିଲା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମାରୁଟି ସୁଜୁକି କାର୍ ,ଦୁଇଟି ମୋବାଇଲ ଫୋନ ,ନଗଦ ୨୦ହଜାର ଟଙ୍କା ,ଆଧାର କାର୍ଡ ,ଭୋଟର ପରିଚୟ ପତ୍ର ,ଏସ୍ ବି ଆଇ ଏଟିଏମ କାର୍ଡ ଇତ୍ୟାଦି ପୋଲିସ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଆର୍ କେ କଲୋନୀର ଇଶ୍ରାୟେଲ ସେନାପତି ଓ ତାର ଗ୍ରାମର ନନ୍ଦା ସରା । ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ମାଥିଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment