୧୫ଲକ୍ଷ ନୂତନ ରାସନ କାର୍ଡ଼ ମଞ୍ଜୁର: ଯୋଗାଣ ମନ୍ତ୍ରୀ ।

ଭଞ୍ଜନଗର, ୧୬/୦୮(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗରକୁ ୨ଦିନିଆ ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି।ଗତକାଲି ମନ୍ତ୍ରୀ ଭଞ୍ଜନଗର ପ୍ରସିଦ୍ଧ ଶିଶୁ ଉଦ୍ୟାନ ବୁଲି ଦେଖିବା ପରେ ଆଜି ସକାଳେ ମନ୍ତ୍ରୀ ଶ୍ରୀ ପାତ୍ର ଓ ସ୍ଥାନୀୟ ବିଧାୟକ ପ୍ରାଦ୍ୟୁ କୁମାର ନାୟକ ଉଭୟେ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ପହଞ୍ଚି ଥିଲେ।ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହାପରେ କଲେଜ ପରିସରରେ ଗୋଟିଏ ଗଛ, ମାଆ’ଙ୍କ ନାମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ପରେ ପରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ପହଞ୍ଚି ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ ଅବସରରେ ଫଟୋରେ ପୁଷ୍ପମାଲ୍ୟ ଦେଇ ସ୍ମୁତିଚାରଣ କରିବା ପରେ ଭଞ୍ଜନଗର ଉପଖଣ୍ଡର ୨୦ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ। ରାଜ୍ୟ ସରକାର ସବୁ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆବେଦନ ପାଇଁ ପୋର୍ଟାଲ ଖୋଲା ଅଛି ରାସନ କାର୍ଡରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ।ଆଗାମି ଦିନରେ ରାଜ୍ୟରେ ୧୫ଲକ୍ଷ ନୂତନ ଗରୀବ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Comments (0)
Add Comment