୧୦ ଘଣ୍ଟାର ପରିଶ୍ରମ ପରେ ଭାଲ୍ଲୁ ଛୁଆ ହେଲା ଉଦ୍ଧାର।

ମାଲକାନଗିରି,୦୬/୦୧(ପିପିଟି): ଦୀର୍ଘ ୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏମଭ-୨୦ ଗ୍ରାମ ନିକଟସ୍ଥ ଗଛ ଉପରେ ଅଟକି ରହିଥିବା ଭାଲ୍ଲୁ ଛୁଆକୁ ଅତିକୌଶଳରେ ବନ କର୍ମଚାରୀମାନେ ଉଦ୍ଧାର କରିଛି । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସହକାରୀ ବନ ସଂରକ୍ଷକ ଲିଲି ଅମାନାତ୍ଯଙ୍କ ସହଯୋଗ ତଥା ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ସକାଳ ୧୦ ଘଟିକା ସମୟରେ ବନକର୍ମଚାରୀମାନେ ଏମଭି-୧୭ ସେକସନର ଏମଭି-୨୦ ଗ୍ରାମରେ ରହଞ୍ଚିଥିଲେ । ନିକଟସ୍ଥ ସାହାଜ ବୃକ୍ଷର ୧୫ ଫୁଟ ଉଚ୍ଚରେ ୨ ବର୍ଷର ଭାଲ୍ଲୁ ଛୁଆଟି ଅଟକି ରହିଥିଲା ବେଳେ ସକାଳେ ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଦୀର୍ଘ ୧୦ ଘଣ୍ଟା ପରିଶ୍ରମ ପରେ ଭାଲ୍ଲୁଟି ସଂଧ୍ଯା ହେବାରୁ ଗଛ ଉପରୁ ତଳକୁ ଓହ୍ଲାଇଥିଲା । ତଳେ ବିଛାଯାଇଥିବା ଜାଲରେ ଛୁଆ ଭାଲ୍ଲୁଟିକୁ ନବ କର୍ମଚାରୀ ମାନେ କାବୁ କରି ଯନ୍ତାରେ ପୂରାଇ ମାଲକାନଗିରି ବନାଞ୍ଚଳ କାର୍ଯ୍ଯାଳୟକୁ ଆଣିଥିଲେ । ପ୍ରକାଶ ଥାଉ କି ମା’ ଭାଲ୍ଲୁ ସହ ୨ଟି ଛୁଆ ଭାଲ୍ଲୁ ଖାଦ୍ଯ ଅନ୍ବେଷଣରେ ଉକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ଗତ କାଲି ମା’ ଭାଲ୍ଲୁ ସହିତ ଛୁଆ ଭାଲ୍ଲୁଟି କୌଣସି କାରଣରୁ ସାଥିରେ ଯାଇ ପାରି ନଥିଲା । ସକାଳେ କିଛି ଆଦିବାସୀ ଲୋକମାନେ ଛୁଆ ଭାଲ୍ଲୁକୁ ଦେଖି ମାରିବା ପାଇଁ ଗୋଡାଇବା ସମୟରେ ଛୁଆ ଭାଲୁଟି ଭୟରେ ଏକ ଗଛ ଉପରକୁ ଚଢି ଯାଇଥିଲା । ତୀର ମାଡ କରାଯାଇଥିଲେ ମଧ୍ଯ ତୀରଟି ଗଛରେ ଲାଗିଥିଲେ ମଧ୍ଯ ଭାଲୁ ଦେହରେ ବାଜିନଥାରୁ ପ୍ରାଣ ହାନି ଘଟିନଥିଲା । କାଳକ୍ରମେ ଲୋକମାନେ ଭାଲୁ ଛୁଆକୁ ଦେଖିବା ପାଇଁ ଗଛ ପାଖରେ ରୁଣ୍ଡ ହୋଇଥିବା ବେଳେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ କରମଚାରୀମାନେ ଭାଲ୍ଲୁ ଛୁଆକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏହି ଉଦ୍ଧାର କାର୍ଯ୍ଯରେ ବନପାଳ ଶିବାନନ୍ଦ ଲେଙ୍କା,ଦିବାକର ଜେନା,ରାଜେଶ ସେଠୀ,ହୃଷିକେଶ ପାଣିଗ୍ରାହୀ, ଦେବାଶିଷ ପ୍ରଧାନ,ବନରକ୍ଷୀ ଦୀପ୍ତି ରଞ୍ଜନ ନାୟକ, ସୁଧିର ମୁର୍ମୁ,ଏବଂ ସ୍କୁଆର୍ଡ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ଭାଲ୍ଲୁ ଛୁଆଟି କାଲି ଦିନ ସାରା ଗଛରେ ରହିବା ଫଳରେ କିଛି ଖାଦ୍ଯ ଏବଂ ଜଳ ପାନ କରି ନଥିଲା । ବର୍ତ୍ତମାନ ଖାଦ୍ଯ ଏବ ଜଳ ପାନ କରିବା ଫଳରେ ସ୍ବାସ୍ଥ୍ଯରେ ଉନ୍ନତି ଘଟିଥିବା ଜଣା ପଡିଛି । ସୁସ୍ଥ ହେଲା ପରେ ପୁନଶ୍ଚ ସିଙ୍ଗରାଜଖୁଣ୍ଟା ଜଙ୍ଗଲରେ ଭାଲ୍ଲୁ ଛୁଆଟିକୁ ଛଡା ଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment