ଭଞ୍ଜନଗର,୧୫/୦୩(ପିପିଟି):ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ୧୦ଦଫା ଦାବିରେ ଆଜି ଡ୍ରାଇଭରମାନେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହି ଦାବି ମଧ୍ୟରେ ମୁଖ୍ୟତଃ ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା, ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା,୫୫ବର୍ଷ ପରେ ପେନସନ ପ୍ରଦାନ, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ଲକ୍ଷ ଟଙ୍କା ଏବଂ ଚିକିତ୍ସା ଲାଗି ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ,ଡ୍ରାଇଭରଙ୍କୁ ଦ୍ଵିତୀୟ ସୈନିକର ମାନ୍ୟତା, ସେମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭଳି କେତେକ ଦାବି ରହିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଖ ଚକ ବନ୍ଦ ଯୋଗୁଁ ବହୁ ଘରୋଇ ଓ ବେସରକାରୀ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି।ଫଳରେ ବହୁ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନପାରି ହଇରାଣ ହରକତ ହେଉଛନ୍ତି। ସଡ଼କ ପଥରେ ପ୍ରାୟତଃ ଯାତ୍ରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଆଜି ସକାଳେ ଭଞ୍ଜନଗର ଅଞ୍ଚଳର ପ୍ରାୟ ୭ଶହରୁ ଉର୍ଦ୍ଧ୍ବ ଡ୍ରାଇଭର ଏକାଠି ହୋଇ ଚକରା ବିଷୋୟୀ ବାଇପାସ ଛକରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବାଇକ ରାଲି କରି ସହର ପରିକ୍ରମା କରିଥିଲେ।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )