ବାଲିଗୁଡା,୨୧/୦୮ (ପିପିଟି) : ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଘରେ ଘରେ ଅସନ୍ତୋଷ ଦେଖା ଦେଉଛି । ଏ ସବୁକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ମାର୍ଲାଙ୍ଗ ପଞ୍ଚାୟତର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ସମଗ୍ର ଗ୍ରାମକୁ ନିଶାମୁକ୍ତ କରିବା ନିମନ୍ତେ ସ୍ଥାନୀୟ ଉପ ଜିଲାପାଳ ପ୍ରଣୀତା ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଉପଖଣ୍ଡ ଅନ୍ତଗତ ମାର୍ଲାଙ୍ଗ ପଞ୍ଚାୟତ ର ସାଲକି ସିତାଗୁଡା ଓ ସାଲକି ବୁଡାଗୁଡାରେ ଆଜକୁ ଦୀର୍ଘ ଦିନ ଧରି ବହୁଳ ଭାବରେ ମହୁଲି ଓ ବିଦେଶୀ ମଦ ବିକ୍ରି ହେଉଛି। ମଦ ଯୋଗୁଁ ପରିବାର ଏବଂ ଗ୍ରାମରେ ସବୁବେଳେ ଆଶାନ୍ତିକର ପରିବେଶ ଲାଗି ରହୁଛି । ଯୁବଗୋଷ୍ଠୀ ନିଶା ବ୍ୟବହାର କରି ବିପଥଗାମୀ ହେଉଛନ୍ତି । ଅନେକ ଲୋକଙ୍କ ଜୀବନହାନୀ ହୋଇଛି । ନିଶାମୁକ୍ତ ପାଇଁ ପୂର୍ବରୁ ମହିଳା, ସ୍ବୟଂ ସହାୟକ ଗୋଷ୍ଠୀ, ଭଦ୍ର ବ୍ୟକ୍ତିମାନେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭଯାତ୍ରା କରିଥିଲେ । ପଥ ପ୍ରାନ୍ତ ନାଟକ ଏବଂ ସଚେତନତା ଶିବିର କରାଯିବା ପରେ ମଧ୍ୟ କୌଣସି ପ୍ରକାରେ ସୁଫଳ ମିଳୁନି । ତେଣୁ ଗ୍ରାମରେ ମଦବିକ୍ରି ବନ୍ଦ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏ ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଫିରତି ସୁନାମାଝୀ, ଆରତୀ ପାଟମାଝୀ, ଆଡାରାଗ ମୁଠାମାଝୀ , ଶୁବନ୍ତି ପାଟମାଝୀ, ଅମିତ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ