ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ ।

ଭଞ୍ଜନଗର, ୧୪/୦୭(ପିପିଟି) : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନ ମହୋତ୍ସବ ପାଳନ ସହିତ ଏକ୍ ପେଡ୍ ମାଁ କେ ନାମ୍ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନମୋହନ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଓ ମୁଖ୍ୟ ବକ୍ତା ରୂପେ ଏ.ବି.ଇ.ଓ ଚରଣ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଓ ବଦକୋଦଣ୍ଡା କ୍ଲଷ୍ଟର ସି ଆର ସି ସି ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ବିତୀକୃଷ୍ଣ ଲେଙ୍କା, ଏନ ଏ ସି, ସି ଆର ସି ସି ବିଭୁ ପ୍ରସାଦ ମହାପାତ୍ର , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଅଧ୍ୟାପିକା କିରଣ କହଁର ଆଦି ଯୋଗ ଦେଇଥିଲେ। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଏନ୍ ସି ସି କ୍ୟାଡେଟ ଇକୋ କ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ ଯୋଗ ଦେଇ “ପିଲାଟିଏ ଗଛଟିଏ” ଏବଂ “ଓ୍ଵାନ୍ କ୍ୟାଡେଟ ଓ୍ବାନ ଟ୍ରୀ” ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରିଥିଲେ l କାର୍ଯ୍ୟକ୍ରମର ପ୍ରଥମ ଭାଗରେ ବନମହୋତ୍ସବ ଓ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା। ସମସ୍ତ ଅତିଥି ଏହାପରେ ବିଦ୍ୟାଳୟରେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିଥିଲେ । ଶ୍ରୀ ମହାନ୍ତି ଓ ଶ୍ରୀ ରଥ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ କ୍ୟାଡେଟ ଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରାଇଥିଲେ। ଏହି ଅବସରରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଶ୍ରୀ ଲେଙ୍କା ବୃକ୍ଷ ସଂପର୍କିତ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନପାଳ ବବୁଲୁ କୁମାର ସେଠୀ, ମନୋଜ କୁମାର ନାୟକ, ପ୍ରତାପ କୁମାର ସ୍ୱାଇଁ , ମିଥୁନ ପ୍ରଧାନ, ଭିକାରି ବିଷୋୟୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment