ୟୁକ୍ରେନ ରେ ଫସିରହିଛନ୍ତି ସୋନପୁର ଛାତ୍ର ; ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କ ଠାରେ ପରିବାରବର୍ଗଙ୍କ ଆକୁଳ ନିବେଦନ ।

ଉଲୁଣ୍ଡା,୨୫/୦୨(ପିପିଟି): ୟୁକ୍ରେନ ଉପରେ ଋଷର ଘନଘନ ମିସାଇଲ ଆକ୍ରମଣ ଜାରି ରହିଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢି ଯାଇଛି । ଏପରି ସ୍ଥଳେ ସୋନପୁର ସହରର ଜଣେ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଥିବା ଜଣା ପଡିଛି । ସୋନପୁର ଅଧିବାସୀ ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର ବିଶି ୟୁକ୍ରେନରେ ଡାକ୍ତରୀ ପଢୁଛନ୍ତି । ୨୪ ବର୍ଷୀୟ ଆଶିଷ ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ଶେଷ ବର୍ଷର ଛାତ୍ର । ପରିବାର ଲୋକଙ୍କ କହିବା ମୁତାବକ ଆଶିଷଙ୍କ କେବଳ ଶେଷ ସେମିଷ୍ଟାର ପରୀକ୍ଷା ବାକି ଥିଲା । ଆଉ ମାତ୍ର କିଛି ଦିନ ପରେ ଡାକ୍ତରୀ ପାଠ୍ୟକ୍ରମ ସମାପ୍ତ ହୋଇଥାନ୍ତା । ହେଲେ ଏଭଳି ପରିସ୍ଥିତିରେ
ବାପା, ମା ଏବଂ ମାମୁ ଆଶିଷଙ୍କ ସହ ଫୋନ୍‌ରେ କଥାବର୍ତ୍ତା ହୋଇ ସମସ୍ତ ଘଟଣା ସଂପର୍କରେ ବୁଝିଥିଲେ । ୟୁକ୍ରେନରେ ରହୁଥିବା ଭାରତୀୟ ମାନେ ଏବେ ସଂପୂର୍ଣ୍ଣ ଭୟଭୀତ ହୋଇପଡିଥିବା ଜଣାପଡିଛି । ଯୁଦ୍ଧର ଘନଘଟା ମଧ୍ୟରେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେମାନେ ସୁରକ୍ଷିତ ଭାବରେ ଭାରତକୁ କେମିତି ଫେରିଆସିବେ ସେଥିପାଇଁ ସେମାନେ ସମସ୍ତେ ଚିନ୍ତାଗ୍ରସ୍ତ ଅଛନ୍ତି । ଆଶିଷ ରହୁଥିବା ହଷ୍ଟେଲକୁ ବୋମା ବର୍ଷଣର ଶବ୍ଦ ଶୁଭୁଥିବା ସେଆଜି ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି । ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗ ମାନଙ୍କ ସହ କିଛି ଦିନର ସୌଦାସେ କିଣି ଆଣିଥିବାର ପ୍ରକାଶ କରିଛନ୍ତି । ତେବେ ଭାରତୀୟ ଛାତ୍ରଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି ଆଶିଷ କହିଛନ୍ତି ।ସ୍ଥାନୀୟ ଦୁତାବାସ ସହ ସେମାନେ ଲଗାତାର ସଂପର୍କରେ ଅଛନ୍ତି ବୋଲି ସେ ପ୍ରକାଶ କରି ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି। ଆଶିଷଙ୍କ ସହ ସମସ୍ତ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଆଶିଷଙ୍କ ମା ନନ୍ଦିନୀ ବିଶି ଆକୁଳ ନିବେଦନ କରିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment