ଛତ୍ରପୁର,୧୮/୦୮(ପିପିଟି):ଗଞ୍ଜାମ ଜିଲ୍ଲାର ହୁମ୍ମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଅଭିଯାନ, ସାଇବର ସୁରକ୍ଷା ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେର୍କେଟା, ସମାଜ ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ, ଏଏସ୍ପି ଛତ୍ରପୁର ସି.ଏଚ୍. ଜୱାହାର ଏବଂ ସାଇବର ପୋଲିସ ଷ୍ଟେସନ, ଛତ୍ରପୁରର ଏସ୍ଆଇ କିରଣ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସଚେତନତା ଓ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ବିଶେଷକରି ଡିଜିଟାଲ୍ ଯୁଗରେ ଅନଲାଇନ୍ ଆର୍ଥିକ କାରବାର ସମୟରେ ସତର୍କତା, ବ୍ୟାଙ୍କିଙ୍ଗ୍ ସେବାର ସୁରକ୍ଷିତ ବ୍ୟବହାର, ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିବା ଏବଂ ସନ୍ଦେହଜନକ ଲିଙ୍କ୍, କଲ୍ ଓ ବାର୍ତ୍ତା ପ୍ରତି ସତର୍କ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା ।
ଏହାସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗଦେଇଥିଲେ ।
ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।