ହୀରାକୁଦ ଜଳଭଣ୍ଡାରର ବନ୍ୟା ନିୟନ୍ତ୍ରଣ ହେବ ଅଧିକ ସଠିକ୍‌ ।

ବୁର୍ଲା, ୦୮/୦୭: ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁର୍ଲାସ୍ଥିତ ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ରେ ଥିବା ସାରାଡିହି ବ୍ୟାରେଜ୍‌ଠାରେ ଏକ ଅତ୍ୟାଧୁନିକ ‘ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ’ (ଜଳ ପ୍ରବାହ ମାପକ ଯନ୍ତ୍ର) ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬୭ ଲକ୍ଷ ୫୨ ହଜାର ୬୪୫ ଟଙ୍କାର ଆନୁମାନିକ ଖର୍ଚ୍ଚ ସହ ଗୋ-ଅହେଡ୍ ଅନୁମତି ପ୍ରଦାନ କରାଯାଇଛି।

ସାରାଡିହି ଗେଜ୍ ସାଇଟ୍‌ରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସିବା ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବାରୁ ଏହାକୁ ବନ୍ୟା ପୂର୍ବାନୁମାନ ଏବଂ ଜଳଭଣ୍ଡାର ପରିଚାଳନା ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଏ। ତେବେ ଛତିଶଗଡ଼ ସରକାରଙ୍କ ଦ୍ୱାରା ସାରାଡିହି ବ୍ୟାରେଜ୍ ନିର୍ମାଣ ହେବା ପରେ ପୂର୍ବରୁ ଥିବା ପାରମ୍ପରିକ ଗେଜ୍ ସାଇଟ୍‌ଟି ବ୍ୟାରେଜ୍‌ର ବୁଡ଼ି ଅଞ୍ଚଳ ମଧ୍ୟକୁ ଚାଲିଯାଇଥିଲା, ଯାହାଫଳରେ ଜଳ ପ୍ରବାହର ସଠିକ୍ ଆକଳନ କରିବାରେ ବେଶ୍ ଅସୁବିଧା ସୃଷ୍ଟି ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏବେ ସେଠାରେ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ନୂତନ ଜଳ ମାପକ ବ୍ୟବସ୍ଥା କରାଯାଉଛି।

ଏହି ନୂତନ ବ୍ୟବସ୍ଥା ଦ୍ୱାରା ବାସ୍ତବ ସମୟରେ (ରିଅଲ୍-ଟାଇମ୍) ଜଳ ପ୍ରବାହର ସଠିକ୍ ତଥ୍ୟ ମିଳିପାରିବ, ଯାହା ବନ୍ୟା ପୂର୍ବାନୁମାନକୁ ଅଧିକ ସୁଦୃଢ଼ କରିବା ସହ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ସମନ୍ୱିତ ଜଳ ପରିଚାଳନା ପାଇଁ ବେଶ୍ ସହାୟକ ହେବ। ଏହି କାର୍ଯ୍ୟକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ବୁର୍ଲା ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଛତିଶଗଡ଼ ଜଳସମ୍ପଦ ବିଭାଗକୁ ଆବଶ୍ୟକୀୟ ଅନାପତ୍ତି ପ୍ରମାଣପତ୍ର (ଏନଓସି) ଶୀଘ୍ର ପ୍ରଦାନ କରିବାକୁ ପୁନର୍ବାର ଚିଠି ଲେଖି ଅନୁରୋଧ କରାଯାଇଛି।

Comments (0)
Add Comment