ହିଞ୍ଜିଳି ଗସ୍ତରେ ୧୮ ଜଣିଆ ଛତିଶଗଡ଼ ପ୍ରଶାସନିକ ଅଧିକାରୀ ।

ବ୍ରହ୍ମପୁର,୨୩/୦୮(ପିପିଟି):ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ ପ୍ରକଳ୍ପରୁ ଶିକ୍ଷା ଓ କାର୍ଯ୍ୟଶୈଳୀ ଉପରେ ଜାଣିବାପାଇଁ ଛତିଶଗଡ଼ ର ୧୮ ଜଣିଆ ପ୍ରସାନିକ ଅଧିକାରୀ ହିଞ୍ଜିଳି ଗସ୍ତରେ ଆସିଥିଲେ ।ହିଞ୍ଜିଳି ବ୍ଲକର ସାରୁ ଓ ଶାସନ ଆମ୍ବଗାଁ ପଞ୍ଚାୟତରେ ନୂତନଭାବେ ଆଧୁନିକ ପ୍ରକଳ୍ପ ଗୁଡିକୁ ଏହି ପ୍ରତିନିଧି ମଣ୍ଡଳୀ ବୁଲି ପରିଦର୍ଶନ କରିଥିଲେ । ବିଭିନ୍ନ ସମୟରେ ବିଭିନ୍ନ ବିଭାଗରୁ ଏହି ମୋଡେଲ ପ୍ରକଳ୍ପ ଗୁଡିକୁ ପରିଦର୍ଶନ ପାଇଁ ହିଞ୍ଜିଳି ବ୍ଲକକୁ ବହୁ ପ୍ରତିନିଧି ମଣ୍ଡଳୀ ଆସିଛନ୍ତି। ଏହାକୁ ଅଗାମିଦିନରେ ନିଜ ଅଞ୍ଚଳ ଓ ରାଜ୍ୟରେ କାର୍ଯ୍ୟକାରୀ କରାଇବା ଏହି ଗସ୍ତର ଉଦ୍ଦେଶ୍ୟ ଥିଲା ।ଉନ୍ନୟନମୂଳକ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ ଗୁଡିକ କରାଯାଇଥିବାରୁ ଆଜି ହିଞ୍ଜିଳି ବ୍ଲକ ରାଜ୍ୟ ଓ ଦେଶରେ ଗର୍ବିତ । ବିଗତ ଦିନରେ ଏହି ମୋଡେଲ ପ୍ରକଳ୍ପ ଗୁଡିକୁ ଦେଶର ଆଇ.ଏ.ଏସ୍ ର ଗ୍ରୁପ ପରିଦର୍ଶନ କରିବା କମ ଗୌରବର କଥା ନୁହଁ । ଆଜି ଅପରାହ୍ନ ୦୨ଘଣ୍ଟା ୩୦ ମିନଟ ସମୟରେ ଛତିଶଗଡ଼ର ପ୍ରଶାସନିକ ଅଧିକାରୀ ମଣ୍ଡଳୀ ସାରୁ ପଞ୍ଚାୟତରେ ପହଞ୍ଚି ରୂପାନ୍ତରିକରଣ ମୋଡେଲ ସ୍କୂଲ , ଆଦର୍ଶ ଗାଈ ଗୁହାଳ ସହ ଅନ୍ୟାନ୍ୟ ପ୍ରକଳ୍ପ ବୁଲିଦେଖିବା ପରେ ଶାସନ ଆମ୍ବଗାଁ ପଞ୍ଚାୟତରେ ପହଞ୍ଚିଥିଲେ।ଶାସନ ଆମ୍ବଗାଁ ଗ୍ରାମପଞ୍ଚାୟତରେ ରୂପାନ୍ତରିକରଣ ହାଇସ୍କୂଲ ବୁଲି ପରିଦର୍ଶନ କରିବାସହ ଶିକ୍ଷକ ଓ ଛାତ୍ର, ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।ଏହି ପଞ୍ଚାୟତରେ ନିର୍ମିତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏବଂ ତାହାର କାର୍ଯ୍ୟଶୈଳୀ ଉପରେ ପରିମଳତାକୁ ନେଇ ଆଲୋଚନା କରିଥିଲେ । ପରେପରେ ଆଦର୍ଶ ପୋଖରୀ ଏବଂ ମୋଡେଲ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଦେଖି ଖୁଶିବ୍ୟକ୍ତ କରିଥିଲେ। ଏକ ବିବୃତ୍ତିରେ ଛତିଶଗଡ଼ରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ଏହିଭଳି ଉଚ୍ଚ ମାନର ପ୍ରକଳ୍ପକୁ ନିଜ ଅଞ୍ଚଳରେ ବିକଶିତ କରିବେବୋଲି ସୂଚନା ପ୍ରଦାନ କରିଥିଲେ। ଏହି ମୋଡେଲ ପ୍ରକଳ୍ପ ଅଗାମିଦିନରେ ନିଜ ରାଜ୍ୟରେ ପ୍ରକଳ୍ପ ନିର୍ମାଣରେ ନୂତନତା ସହ ଉନ୍ନୟନରେ କ୍ରାନ୍ତି ଆଣିବବୋଲି ପ୍ରତିନିଧି ମଣ୍ଡଳି ମୁଖ୍ୟ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଆଜିର ଏହି ଗସ୍ତରେ ଛତ୍ରପୁର ସହକାରୀ ଯନ୍ତ୍ରୀ ତଥା ପ୍ରଶିକ୍ଷଣ ପରାମର୍ଶଦାତା ବିଜୟ କୁମାର ପଣ୍ଡା ,ପ୍ରଶିକ୍ଷଣ କେନ୍ଦ୍ରର ସଦସ୍ୟ ନବ ବିଷୋୟୀ, ଓଡିଶା ଗୋପବନ୍ଧୁ ଏକାଡେମୀର ଦୁଇଜଣ ପ୍ରଶିକ୍ଷକଙ୍କ ସହ ହିଞ୍ଜିଳି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପ୍ରତିନିଧି ମଣ୍ଡଳୀଙ୍କୁ ଗାଇଡ଼୍ କରିଥିବାବେଳେ ପରିଦର୍ଶନରେ ହିଞ୍ଜିଳି ବ୍ଲକର କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାସ ଓ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ସହଯୋଗ କରିଥିଲେ । ପରିଦର୍ଶନ ସମୟରେ ଉଭୟ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମିତି ସଭ୍ୟ/ସଭ୍ୟା ,ସରପଞ୍ଚ ସମସ୍ତ ୱାର୍ଡ଼ ମେମ୍ବର ଏବଂ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
(ରିପୋର୍ଟ– ଅଜିତ କୁମାର ପଟ୍ଟନାୟକ ।)

Comments (0)
Add Comment