ହିଞ୍ଜିଳିରେ ଶୁଭାରମ୍ଭ ହେଲା ଜଗନ୍ନାଥ ଅର୍ପଣ ରଥ ।

ହିଞ୍ଜିଳିକାଟୁ , ୦୬/୦୧ ( ପିପିଟି )ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ “ ଆମ ଓଡିଶା ନବୀନ ଓଡିଶା “ ଯୋଜନା ର ଅନ୍ଯତମ ଅଂଶବିଶେଷ । ଏହି କ୍ରମରେ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା ୧୭/୦୧/୨୪ରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଐତିହାସିକ ମୂହୁର୍ତ୍ତରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି । ଏହି ମୂହୁର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସୂଚନା ଅନୁସାରେ ଆଜି ଶନିବାର ତା ୦୬/୦୧/୨୪ରିଖ ଠାରୁ ୧୬/୦୧/୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରେ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଅଛି । ହିଞ୍ଜିଳି ପଞ୍ଚାୟତ ସମିତିର ଯୋଜନା ପ୍ରକାରେ ତିନି ଗୋଟି ଅର୍ପଣ ରଥ ୦୬/୦୧ ଠାରୁ ୧୪/୦୧ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସମିତିର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ଯେକ ପରିବାରଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅର୍ପଣ ରଥ ତ୍ରୟ ନନ୍ଦିକ , କଞ୍ଚୁରୁ ,ଦୟାପଲ୍ଲୀ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଭକ୍ତିପୂର୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରାଯାଇଛି । ନନ୍ଦିକ ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଗଞ୍ଜାମ ଶ୍ରୀ ଭି କୀର୍ତି ଭାଷନ ମହୋଦୟ ଶୁଭାରମ୍ଭ କରିଥିଲେ । ପ୍ରଥମେ ନନ୍ଦିକ ଗ୍ରାମ ସ୍ଥିତ ସୁନ୍ଦର ମାଧବ ମନ୍ଦିରରୁ ପ୍ରଭୂଙ୍କର ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ କରାଯାଇଥିଲା । ଅର୍ପଣ ରଥ ସହିତ ଉକ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନ ସଂସ୍ଥା ର ଉପଦେଷ୍ଟା ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପ୍ରଧାନ, ୬୮ ନଂ ଜିଲ୍ଲା ପରିଷଦ ଜୋନ ସଭ୍ଯ ଏ. ସୁଦର୍ଶନ,ସରପଞ୍ଚ କୃଷ୍ଣ ଚନ୍ଦ୍ର ଭଉଳ, ସମିତି ସଭ୍ୟା ପ୍ରତିନିଧି ସୁନୀଲ ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା , ସିଡ଼ିପିଓ ଗଙ୍ଗୀ ସୁବୁଦ୍ଧି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ସେଠୀ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେହିପରି ଦ୍ଵିତୀୟ ଅର୍ପଣ ରଥ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ସେଠୀ,ଜିଲ୍ଲା ଯୋଜନା ବୋର୍ଡର ବରିଷ୍ଠ ସଦସ୍ୟ ଶ୍ରୀ ଏନ ରଘୁନାଥ,୬୭ ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ବାଇ ଗୀତାଞ୍ଜଳି,ସରପଞ୍ଚ ମଦନ ସେଠୀ,ପିଇଓ ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ତୃତୀୟ ଅର୍ପଣ ରଥଟି ଦୟାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ଵର ମନ୍ଦିରରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବା ସହ ୬୯ ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ପ୍ରୀତି ସାହୁ ସରପଞ୍ଚ ବି ସଞ୍ଜିତା,ସମିତି ସଭ୍ଯ ଇପିଲି ରାଜରାଓ, ପିଇଓ ଶଙ୍କର ରାଓ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦୂର୍ବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମରେ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମରେ, ସରପଞ୍ଚ ସନ୍ତୋଷ ସାହୁ,ସମିତି ସଭ୍ଯ ଜଗବନ୍ଧୁ ସାହୁ,ପିଇଓ ପ୍ରତାପ ସାହୁ,ଅଭିମନ୍ୟୁ ସାହୁ, ରମହରି ଶର୍ମା ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଆସନ୍ତା କାଲି ତା ୦୭/୦୧/୨୪ତାରିଖରେ ଅର୍ପଣ ରଥ ତ୍ରୟ କଞ୍ଚୁରୁ ଗ୍ରାମ ପଞ୍ଚାୟତ ର ଅବଶିଷ୍ଟ ଗ୍ରାମ ରାଲବ ଓ ଦୂର୍ବନ୍ଧ ଗ୍ରାମରେ ପରିକ୍ରମା କରିବ ବୋଲି ବ୍ଳକ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ

Comments (0)
Add Comment