ଭଞ୍ଜନଗର,୨୫/୦୮(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଲେମ୍ଭେଇ,ହଳନ୍ଦ ଖୋଳା, ତିନି ଛକିଆ, ବାର ଦଣ୍ଡା,ବାଲିସାହି, ଦଲକ,ମାଣପୁର ଅଞ୍ଚଳ ରେ ଏକ ଦନ୍ତା ହାତୀର ଉପଦ୍ରବରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ହାତୀଟି ଉକ୍ତ ଅଞ୍ଚଳରେ ଲାଗିଥିବା ବ୍ୟାପକ ଫସଲ ଓ ପନିପରିବା ଦଳି ଚକଟି ନଷ୍ଟ କରୁଥିବାରୁ ବର୍ଷକର ପରିଶ୍ରମକୁ ନେଇ ଚାଷୀ ମାନେ ଚିନ୍ତାରେ ରହିଛନ୍ତି।ନିଜ ଫସଲର ସୁରକ୍ଷା ସକାଶେ ଲୋକମାନେ ରାତି ସାରା ଉଜାଗର ରହି ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।ହେଲେ କୌଣସି ଅଘଟଣ ଘଟିବା ଏବଂ ହାତୀଟି ଗ୍ରାମ ଭିତରକୁ କାଳେ ପଶି ଆସିବ ସେଥିପାଇଁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଏହି ବନଖଣ୍ଡରେ ଗତ କିଛି ଦିନ ମଧ୍ୟରେ ଦୁଇଟି ଦନ୍ତାହାତୀ ଶିକାରୀ ହାତରେ ମୃତ୍ୟୁବରଣ କରିଥିବା ବେଳେ ଏବେ ପୁଣି ଆଉ ଏକ ଦନ୍ତା ହାତୀ ଦଳରୁ ଅଲଗା ହୋଇ ଏକୁଟିଆ ବୁଲିବା ବନ ବିଭାଗ ପାଇଁ ଚିନ୍ତା ବଢାଇଦେଇଛି।ହାତୀ ଟିର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।ହେଲେ କ୍ଷତି ପୂରଣ ବାବଦରେ ଚାଷୀକୁ ଯାହା ସହାୟତା ଯୋଗାଇ ଦିଆଯାଉଛି ସେଥିରେ ଭାଗଚାଷୀ ମାନେ ବେଶି ପ୍ରଭାବିତ ହେଉଛନ୍ତି।ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )