ହାଇସ୍କୁଲ ନାହିଁ, ତଥାପି ହାଇସ୍କୁଲ ନାଁରେ ସର୍ଭେ ; ଆର୍‌ଡି ବିଭାଗର ତଥ୍ୟକୁ ନେଇ ଉଠିଲା ପ୍ରଶ୍ନ ।

କୋଦଳା,୨୬/୧୦(ପିପିଟି ):ଗୋଟିଏ ଗାଁରେ ହାଇସ୍କୁଲ ନାହିଁ, କିନ୍ତୁ ସେହି ଗାଁର ହାଇସ୍କୁଲ ନାଁରେ ରାସ୍ତା ସର୍ଭେ । ଏଭଳି ଏକ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ଚିଙ୍ଗୁଡ଼ିଖୋଲଠାରୁ ଝରନଈ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁଯାୟୀ, ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳି ଗାଁର ପୋଷ୍ଟ ଅଫିସ୍‌ ଚିଙ୍ଗୁଡ଼ିଖୋଲ ଅର୍ଥାତ୍‌, ଉସ୍ତାଳି ଗାଁର ଡାକ ଠିକଣାରେ ‘ଏଟ୍‌ ଚିଙ୍ଗୁଡ଼ିଖୋଲ’ ଲେଖାଯାଉଛି। ହେଲେ ଆର୍‌ଡି ବିଭାଗର ରାସ୍ତା ସମ୍ପର୍କିତ ସର୍ଭେ ଓ ଦସ୍ତାବିଜ୍‌ରେ “ଉସ୍ତାଳି ୟୁପି ହାଇସ୍କୁଲ ଠାରୁ ଝରନଈ” ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି।ଏଠାରେ ପ୍ରଶ୍ନ ହେଉଛି, ଉସ୍ତାଳି ଗାଁରେ ହାଇସ୍କୁଲ ନଥିବା ବେଳେ ସର୍ଭେ ସମୟରେ ହାଇସ୍କୁଲର ନାମ କେଉଁଠୁ ଆସିଲା, ସର୍ଭେ କରୁଥିବା ଅଧିକାରୀମାନେ ପ୍ରକୃତ ସ୍ଥାନ ଯାଞ୍ଚ କରିଥିଲେ ନା କେବଳ କାଗଜପତ୍ର ଆଧାରରେ ତଥ୍ୟ ଲେଖିଦେଲେ? ଏହି ତଥ୍ୟକୁ ଆଧାର କରି ଅଟକଳ ପ୍ରସ୍ତୁତ ଓ ପ୍ରକଳ୍ପ ମଞ୍ଜୁର ହୋଇଥିଲେ, ତେବେ ତାହାର ଯାଞ୍ଚ କିଏ କରିଥିଲେ? ଅନ୍ୟପକ୍ଷରେ, ଚିଙ୍ଗୁଡ଼ିଖୋଲ ହାଇସ୍କୁଲ ଛକଠାରୁ ଝରନଈ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା କୁହାଯାଉଛି । ତେବେ ପ୍ରକୃତ ହାଇସ୍କୁଲ ଚିଙ୍ଗୁଡ଼ିଖୋଲରେ ଥିବା ବେଳେ ଉସ୍ତାଳି ୟୁପି ହାଇସ୍କୁଲ ନାଁରେ ସର୍ଭେ କାହିଁକି ହେଲା? ଏହା କେବଳ ନାମ ଲେଖିବାରେ ତ୍ରୁଟି, ନା ସର୍ଭେ ଓ ଅଟକଳ ପ୍ରସ୍ତୁତିରେ ଅନ୍ୟ କୌଣସି ତ୍ରୁଟି ରହିଛି ? ଗାଁର ପୋଷ୍ଟ ଠିକଣା ଚିଙ୍ଗୁଡ଼ିଖୋଲ, ହେଲେ ହାଇସ୍କୁଲ ନାଁରେ ସର୍ଭେ ?ଏହି ଦସ୍ତାବିଜ୍‌ରେ ପ୍ରକୃତ ତଥ୍ୟ କ’ଣ ? ଏହାର ସ୍ପଷ୍ଟ ଉତ୍ତର ଆର୍‌ଡି ବିଭାଗ ଦେବା ଆବଶ୍ୟକ। ଲୋକଙ୍କ ଟଙ୍କାରେ ହେଉଥିବା ରାସ୍ତା ନିର୍ମାଣରେ ସର୍ଭେଠାରୁ ଆରମ୍ଭ କରି ଅଟକଳ ଓ ମଞ୍ଜୁରୀ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ସ୍ୱଚ୍ଛ ହେବା ଦରକାର। ତେଣୁ ସମ୍ପୃକ୍ତ ବିଭାଗ ସର୍ଭେ ରିପୋର୍ଟ, ଅଟକଳ ଓ ମଞ୍ଜୁରୀପତ୍ର ସାର୍ବଜନୀନ କରିବା ସହ ଏହି ତଥ୍ୟଗତ ଅସଙ୍ଗତିର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ହେଉଛି। ହାଇସ୍କୁଲ ନଥାଇ ହାଇସ୍କୁଲ ନାଁରେ ସର୍ଭେ କିପରି? ତଥ୍ୟ ଯାଞ୍ଚ ନକରି ମଞ୍ଜୁରୀ ଦିଆଗଲା କି? ଏହି ପ୍ରଶ୍ନର ଉତ୍ତର ଏବେ ଆରଡି ବିଭାଗକୁ ଦେବାକୁ ପଡ଼ିବ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରି ନାହିଁ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment