ହସ୍ତଶିଳ୍ପ ପ୍ରଦର୍ଶନୀରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ଭଞ୍ଜନଗର,୨୩/୦୫(ପିପିଟି): ଭଞ୍ଜନଗର ବଳଭଦ୍ର ଆରୁଖ କୃଷକ ବଜାର ପରିସରରେ ଅରୁପା ଦ୍ୱାରା ଚାଲିଥିବା ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଗତ ୧୮ତାରିଖ ଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ ୫ତାରିଖ ପର୍ଯ୍ୟନ୍ତ ଚାଲିବ।ଏଠାରେ ମୋଟ ୮୦ଟି ଷ୍ଟଲରେ ମଧ୍ୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଷ୍ଟଲ ମଧ୍ୟ ରହିଛି। ଏହି ପ୍ରଦର୍ଶନୀକୁ ଭଞ୍ଜନଗର ଓ ଆଖପାଖ ଅଞ୍ଚଳର ଲୋକମାନେ ଆସି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଏବଂ ବିଭିନ୍ନ ହସ୍ତଶିଳ୍ପ ଓ ଘର କରଣା ସାମଗ୍ରୀ କିଣିବା ସହ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି।କାର୍ଯ୍ୟକ୍ରମର ଚତୁର୍ଥ ସନ୍ଧ୍ୟାରେ ଭଞ୍ଜନଗର ଲଣ୍ଡେଇ ସାହିର ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାଷ୍ଟର ପିଣ୍ଟୁଙ୍କ ନିର୍ଦ୍ଦେଶନାରେ ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଅରୁପା ରଙ୍ଗମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।ସେହିପରି ୫ମ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲାର ଓମ ଶ୍ରୀ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ ପକ୍ଷରୁ ପ୍ରାୟ ୨୫ଜଣ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରା ଯାଇଥିଲା।ଏଥିରେ ଅରୁପାର ସମ୍ପାଦକ ଅଶୋକ କୁମାର ସାହୁ, ସମାଜସେବୀ ଶୂଳପାଣି ଶତପଥି, ଅନୁପମ ବାନାର୍ଜୀ ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment