***ହଳଦୀ ବସନ୍ତ***

ହଳଦୀ ବସନ୍ତ ବସନ୍ତେ ଉଭା
ପାଦପ ଶାଖାରେ ପାଉଛି ଶୋଭା..!!
ରଙ୍ଗ ହଳଦିଆ ତା ଟିକି ଡେଣା
ସୁମନ ଗୁଛରେ ଖୋଜେ ଠିକଣା..!!
ଚଞ୍ଚୁ ଘଷୁଥାଏ ସୁମନେ ଉଡି
ଟିକି ଟିକି ଡେଣା ଦିଅଇ ଝାଡି… !!
ପଲ୍ଲବ ଗହଳେ ଲୁଚାଇ ଦେହ
ବସନ୍ତ ପ୍ରୀତିରେ ହୋଇ ବିମୋହ ..!!
କ୍ଷୀଣ କଣ୍ଠେ ଧୀରେ ଗାଏ ସେ ଗୀତ
ଭାବୁକ ଚିତ୍ତ କୁ କରେ ପ୍ରମତ୍ତ… !!
ବର୍ଷା ଅବା ଶୀତେ ଅଦୃଶ୍ୟ ପକ୍ଷୀ
ହଳଦୀ ବସନ୍ତ ବସନ୍ତେ ସାକ୍ଷୀ …!!
ଆସିଲେ ବସନ୍ତ ଦିଶଇ ବୃକ୍ଷେ
ନୀଡ ଗଢି ଅଣ୍ଡା ଦିଅଇ ସୁଖେ…!!
ପିକ ପରି ଏହି ହଳଦୀ ପକ୍ଷୀ
ନବାଗତ ହୋଇ ଆସନ୍ତି ଡାକି …!!
କଳକଣ୍ଠ ସ୍ବର ଶୁଭେ ସର୍ବତ୍ର
ଥିଲେ ବହୁ ଦୂର କମ୍ପଇ ଗାତ୍ର…!!
ହଳଦୀ ବସନ୍ତ ଲାଜ ବହୁତ
ହେବାରୁ ଭାଷା ମୃଦୁ ମୃଦୁ ସତ…!!
ଦେଖିଲେ ମାନବ ଉଡି ପଳାଏ
ଏକା ରହିବାକୁ ଭଲ ସେ ପାଏ …!!
ଡଉଲ ଡାଉଲ ରୂପ ସୁନ୍ଦର
ଡାକ ମୃଦ୍ୟୁ ମନ୍ଦ ସ୍ମୃତି ମଧୁର….!!
ମୁଣ୍ଡ ଟି ଚିକ୍କଣ କଳା ଅଟଇ
ଆଖି ଆଉ ଚଞ୍ଚୁ ନାଲି ଦିଶଇ…!!
ଡିମିର ଫଳ ତା ପ୍ରିୟ ଆହାର
କୀଟ ପତଙ୍ଗରେ ଭାରି ଆଦର…!!
ଏବେ ସେ ଅଦୃଶ୍ୟ ଦୃଶ୍ୟ ନୁହଁଇ
ହଳଦୀ ବସନ୍ତ ବିଲୋପ ହୋଇ….!!
ପରିବେଶ ଯେଣୁ ଗଲା ବଦଳି
ପକ୍ଷୀ ପ୍ରେମୀ ଚିତ୍ତ ଦୁଃଖରୁ ବଳି…!!
ପୁର ପଲ୍ଲୀ ଥିଲା ବିହଙ୍ଗ ମେଳ
ହ୍ରାସ ହେଲାଣି ସେ କୋଳାହଳ….!!
ଦିଶୁ ନାହିଁ ବୃକ୍ଷ ପଲ୍ଲୀ ପ୍ରାନ୍ତରେ
ଲଣ୍ଡିତ ହେଲାଣି ପାଦପ ଧୀରେ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment