ମାାଲକାନଗିରି ,୨୫/୧୧(ପିପିଟି):ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଆଜି ସକାଳେ ଏକ ଟିପ୍ପର ଗାଡିରେ ସିମେଣ୍ଟ ଓ ଲୁହା ରଡ଼ ବୋଝେଇ କରି ଯାଉଥିବା ବେଳେ ଗାଡିର ବ୍ରେକ୍ ଅଚାନକ ଫେଲ୍ ହେବା ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘାଟି ତଳକୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଓଲଟିବା ଫଳରେ ୬ ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ପ୍ରାଣହାନି ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଚିତ୍ରକୋଣ୍ଡାରୁ ଏକ ଟିପ୍ପର ଗାଡ଼ିରେ ସିମେଣ୍ଟ ଓ ଲୁହା ରଡ଼ ବୋଝେଇ କରି ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ଅଞ୍ଚଳର ରାସ୍ତା କାମ ପାଇଁ ଯାଉଥିବା ବେଳେ ହନ୍ତାଳଗୁଡା ଘଟିକୁ ଗାଡ଼ିଟି ଅତିକ୍ରମ କରଥିଲା ।ଏହି ସମୟରେ ସିମେଣ୍ଟ ଓ ଲୁହା ରଡ଼ ବୋଝେଇ ଗାଡ଼ିଟି ଘାଟି ଚଢ଼ି ନପାରି ବ୍ରେକ୍ ଫେଲ୍ ହୋଇ ଯାଇଥିଲା। ତେବେ ଗାଡ଼ି ଚାଲକ ଗାଡିରୁ ଡେଇଁ ବଞ୍ଚି ଯାଇଥିବା ବେଳେ ଗାଡ଼ିଟି ଘାଟି ତଳକୁ ଖସି ୬ ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆଉ ୪ ଜଣ ଶ୍ରମିକ ସମେତ ଜଣେ ସୁପରଭାଇଜର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।୧୦ ଜଣ ଶ୍ରମିକ ସିମେଣ୍ଟ ବୋଝେଇ ଟିପ୍ପର ଉପରେ ବସି ଯୋଡାମ୍ବ ଅଭିମୁଖେ ଯାଉଥିଲେ। ସେଠାରେ ରାସ୍ତା କାମ ଚାଲୁଥିବା ସୂଚନା ମିଳିଛି।ଗାଡ଼ିଟି ଏମଭି-୭୯ ଗ୍ରାମର ଜଣେ ଠିକାଦାରଙ୍କ ବୋଲି ଜଣାପଡିଛି। ଆହତମାନଙ୍କୁ ଯୋଡାମ୍ବ ଏବଂ ଚିତ୍ରକୋଣ୍ଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)