***(ହଁ) ଟି***

ତୁ କହିଲେ ହେଲା
ମୁଁ ଏମିତି ପିଲା
ଆଣିଦେବି କଇଁ ଫୁଲ ତୋଳି
ସାତ ତାଳ ପାଣି ପହଁରି ପହଁରି
ମୋ ଜୀବନ ପଛେ ଗଲେ ଗଲା…!!
ଭଲ ପାଉଅଛି ସେ ଝିଅକୁ ବୋଲି
ଡେଣା ବିନା ଉଡେ ଆକାଶରେ
ବିନା ପୂର୍ଣ୍ଣିମାରେ ଜହ୍ନକୁ ଦେଖଇ
ଯେତେବେଳେ ପାଶେ ଉଭା ହୁଏ….!!
ଦେହ ମୋ ଭିଜଇ ବିନା ବର୍ଷାରେ
ପ୍ରେମର ମେଘରେ ଭାସି ଭାସି
ବିନା ବସନ୍ତରେ ଫୁଲ ଫୁଟି ବାସେ
ନିରୋଳାରେ ବସି ହୁଏ ଖୁସି….!!
ଶୁଣା ଯାଏ ତା’ର କୋକିଳ ଗୁଞ୍ଜନ
ସପନେ ସପନେ ହୁଏ ପ୍ରେମ
ଝରେ ତା’ ଓଠରୁ ମିଠା ମିଠା ମହୁ
ମନ ଭ୍ରମର ମୋ ହୁଏ ଭ୍ରମ….!!
ସୋରିଷ ଫୁଲିଆ ଦେହଟି ତାହାର
ଆଖି ଲାଖି ଯାଏ ଧୀରେ ଧୀରେ…
ପ୍ରେମ କରେ ତାକୁ – ଭଲ ପାଏ ତାକୁ
କହେ ନାହିଁ କଥା ଲାଜେ ମରେ….!!
ତା’ ଓଠରୁ ସେହି ଛୋଟିଆ ( ହଁ)ଟି
ଶୁଣିବାକୁ ମନ ଛଟ ପଟ…..
ପଥ ଅନୁସରୀ ପଛେ ପଛେ ଧାଏଁ
ମୃଗ ତୃଷ୍ଣା ପରି ହୁଏ ଭେଟ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment