ବାଲିଗୁଡା,୨୬/୧୦(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ମେଳାରେ ଟିକାବାଲି ବ୍ଲକର ପ୍ରାୟ ୧୧ଟି ପଞ୍ଚାୟତ ରୁ ୨୩୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ, ଗ୍ରୁପ ଗୁଡିକ ପରିଚାଳନା କରୁଥିବା ଏମ ବି କେ, ସି ଆର ପି, ବି ଆର ପି, ବ୍ୟାଙ୍କ ମିତ୍ରମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ କାଳୀନ ୨୩୦ ଟି ସ୍ୱୟଂ ସହାୟକ ଦଳ ମାନଙ୍କୁ ଏକା ଥରକେ ଋଣ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟାକ୍ଷା ସୁଚିତ୍ରା ପ୍ରଧାନ,ଟିକାବାଲି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା, ଏଲ ଡି ଏମ କଳ୍ପତରୁ ସ୍ୱାଇଁ, ମିଶନ ଶକ୍ତି ଡିପିସି ସୁନୀଲ କୁମାର ନାୟକ, ଓଡିଶା ଜୀବିକା ମିଶନ ଡିପିଏମ ସନ୍ତୋଷ କୁମାର ରଥ, ଏପିଡି ରଞ୍ଜୀତ ସାମନ୍ତରାୟ, ପି ଏ ସୀତାରାମ କୀର୍କୀ, ମିଶନ ଶକ୍ତି ବିପିସି ମିଖାଏଲ ପ୍ରଧାନ, ସିଡିପିଓ ପାନମଣୀ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାରୁ ଆସିଥିବା ବିଭାଗୀୟ ଅଧିକାରୀ ମାନେ ଦିଆଯାଉଥିବା ଋଣର ଅପବ୍ୟବହାର ଯେପରି ନକରନ୍ତି ସେଥିପାଇଁ ଅନେକ ବ୍ୟବସାୟ ଭିତ୍ତିକ ଉଦ୍ୟୋଗ ଗୁଡିକ ବିଷୟରେ କହିବା ସଙ୍ଗେ ସଙ୍ଗେ ସଙ୍ଗେ ଋଣକୁ ଠିକ ସମୟରେ ପରିଶୋଧ କରିବାକୁ, ଏବଂ ଉଚିତ ଋଣ ଟଙ୍କା ବିନିଯୋଗ କରି ଲାଭବାନ ହେବାକୁ ପ୍ରୋତ୍ସାହନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ବିପିଏମ ଭାଗିରଥି ପୃଷ୍ଟି ପରିଚାଳନା କରିଥିବା ବେଳେ ସ୍ଥାନୀୟ ମିଶନ ଶକ୍ତି ବି ପି ସି ମିଖାଏଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ମେଳା କୁ ସମାପ୍ତ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)