ଭଞ୍ଜନଗର,୨୮/୦୮(ପିପିଟି): ଆସନ୍ତା ଅଗଷ୍ଟ ୩୧ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଭଞ୍ଜନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦର ତରଫରୁ ରବିବାର ଏକ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ସମସ୍ତ କାଉନସିଲର ମାନଙ୍କୁ ନେଇ ପୀଠନ ଏକାଦଶ ସହ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ନେଇ କୋବ୍ରା ଏକାଦଶ ମଧ୍ୟରେ ଏକ ୧୫ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ଆରମ୍ଭରେ ପୀଠନ ଇଲେଭେନ ବ୍ୟାଟିଂ କରି ମୋଟ ୧୦୬ରନ ସଂଗ୍ରହ କରିଥିଲେ। ଏହାପରେ ଖେଳର ଦ୍ବିତୀୟାର୍ଦ୍ଧରେ କୋବ୍ରା ଇଲେଭେନ ବ୍ୟାଟିଂ କରି କେବଳ ୭୭ରନ କରିବାରେ ସକ୍ଷମ ହୋଇଥିଲେ।ପୀଠନ ଦଳ ୨୯ରନରେ ବିଜୟ ଲାଭ କରି ଟ୍ରଫି ଗ୍ରହଣ କରିଥିବା ବେଳେ କୋବ୍ରା ଦଳ ରନର ଟ୍ରଫି ଗ୍ରହଣ କରିଥିଲେ। ଏଥିରେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନ୍ଧମାଳ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଶୋଇ, ଯୁବ ନଗର ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା, ସମାଜସେବୀ ଶୁଳପାଣି ଶତପଥୀ,ତପନ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )