ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ।

ଛତ୍ରପୁର,୨୯/୦୪(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶରେ ଆଜି ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ସ୍ଥିତ ସ୍ୱାସ୍ଥ୍ୟ ସଦନର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି।

ଏହି ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଆରଡିଏ ଅଧିକାରୀ ଏବଂ କର୍ମଚାରୀ ପ୍ରାୟ ୧୫୦ ଜଣ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଶିବିରରେ ମଧୁମେହ,ରକ୍ତଚାପ, ଲିପିଡ୍ ପ୍ରୋଫାଇଲ, ଲିଭର ଫଙ୍କସନ ଟେଷ୍ଟ, ୟୁରିକ ଏସିଡ,ଚକ୍ଷୁ ପରୀକ୍ଷା ଓ ଲିଭର ଆଦିର ପରୀକ୍ଷା କରାଯାଇଥିଲା ।

ଜିଲ୍ଲାପାଳ ଏହି ସବୁର ପରୀକ୍ଷା କରାଇବା ସହିତ ଆଜିର ବ୍ୟସ୍ତ ବହୁଳ ଜୀବନରେ ଡାଇବେଟିସ,ଥାଇରଏଡ୍, ଉଚ୍ଚ ରକ୍ତଚାପ, ମୋଟାପଣ ଆଦି ପ୍ରାୟ ଲୋକଙ୍କ ପାଖରେ ପରିଲିକ୍ଷିତ ହେଉଛି । ଏହି ସବୁକୁ କମାଇବାକୁ ହେଲେ ଉନ୍ନତ ଜୀବନଶୈଳୀ ଓ ନିୟମିତ ବ୍ୟାୟାମର ବହୁତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ସହିତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନିୟମିତ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆୟୋଜିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖରାପ ଜୀବନଶୈଳୀଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଉପରୋକ୍ତ ରୋଗ ଗୁଡିକୁ ଠିକ ସମୟରେ ଚିହ୍ନଟ ଓ ନିୟମିତ ପରୀକ୍ଷା ମାଧ୍ୟମରେ ଏସବୁର ଜଟିଳତା ରୋକାଯାଇପାରିବ ବୋଲି ଡା. କୋଟା କହିଥିଲେ ।

ବ୍ରହ୍ମପୁର ସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯାଇଥିଲା।

Comments (0)
Add Comment