ମାଲକାନାଗିରି,୦୫/୦୮(ପିପିଟି):ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଆଶା କର୍ମଚାରୀମାନଙ୍କର ବିଭିନ୍ନ ପ୍ରମୁଖ ସମସ୍ୟାର ସମାଧାନ ଏବଂ ନ୍ୟାଯ୍ୟ ଦାବି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି।
ସଂଘ ପକ୍ଷରୁ ଆଶା କର୍ମୀଙ୍କର ୮ ଗୋଟି ମୁଖ୍ୟ ଦାବି ସମ୍ପର୍କରେ ମନ୍ତ୍ରୀଙ୍କ ସହ ଫୁଙ୍ଖାନୁଫୁଙ୍ଖ ଆଲୋଚନା କରାଯାଇଥିଲା। ସଂଘର ପ୍ରମୁଖ ଦାବିଗୁଡ଼ିକ ହେଲା ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଆଶା କର୍ମୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ବା ବେତନ ପ୍ରଦାନ କରାଯାଉ।
କୌଣସି ଆଶା କର୍ମୀ ଗର୍ଭବତୀ ହେଲେ, ତାଙ୍କୁ ମିଳୁଥିବା ୬,୦୦୦ ଟଙ୍କାର ସହାୟତା ରାଶିକୁ ପୁନଃବିଚାର କରାଯାଇ ଅନ୍ୟ କର୍ମଚାରୀଙ୍କ ଭଳି ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯାଉ।ପ୍ରତ୍ୟେକ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ‘ଆଶା ଗୃହ’ ନିର୍ମାଣ କରାଯାଉ। ଆଶା କର୍ମୀମାନଙ୍କୁ ଅନଲାଇନ୍ କାର୍ଯ୍ୟ କରିବାକୁ ପଡ଼ୁଥିବାରୁ ପ୍ରତ୍ୟେକ ଆଶା କର୍ମୀଙ୍କୁ ଗୋଟିଏ ଲେଖାଏଁ ୫ଜି ମୋବାଇଲ୍ ଫୋନ୍ ପ୍ରଦାନ କରାଯାଉ।
ବିଭିନ୍ନ ଜିଲ୍ଲାରେ ଟ୍ରେଜରୀ ସମସ୍ୟା ଦର୍ଶାଇ କେବଳ ୩,୫୦୦ ଟଙ୍କା ଦିଆଯାଉଛି ଏବଂ ବାକି ଟଙ୍କା ପରେ ଆସିବ ବୋଲି କୁହାଯାଉଛି। ଏହି ସମସ୍ୟାର ତୁରନ୍ତ ନିରାକରଣ କରି ବକେୟା ଟଙ୍କା ପ୍ରଦାନ କରାଯାଉ। ପୁରୀ ଜିଲ୍ଲା ଭଳି ଅନ୍ୟ ସମସ୍ତ ଜିଲ୍ଲାରେ ଅବଶିଷ୍ଟ ଆଶା କର୍ମୀଙ୍କୁ ଅବିଳମ୍ବେ ଆଶା କିଟ୍ ଯୋଗାଇ ଦିଆଯାଉ।
ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ କାର୍ଯ୍ୟରତ ଆଶା କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମାସିକ ୧୫,୦୦୦ ଟଙ୍କା ବେତନ ଏବଂ ଇଏସଆଇ ଓ ଇପିଏଫଓ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ। ଆଶା କର୍ମୀଙ୍କ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟାର ସମାଧାନ ପାଇଁ ଏନ୍ ଏଚ୍ ଏମ୍ ନିର୍ଦ୍ଦେଶକଙ୍କ ସହ ଶୀଘ୍ର ଏକ ବୈଠକ ଡକାଯାଉ।ଏହି ସମସ୍ତ ବିଷୟକୁ ଗୁରୁତ୍ୱର ସହ ଶୁଣିବା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆଶା କର୍ମୀଙ୍କର ଏହିସବୁ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବ। ଏହାସହ ଏନ୍ ଏଚ୍ ଏମ୍ ନିର୍ଦ୍ଦେଶକଙ୍କ ସହିତ ସଂଘର ପ୍ରତିନିଧିମାନଙ୍କର ଆଉ ଏକ ଆଲୋଚନା ବୈଠକ ଶୀଘ୍ର ଆୟୋଜନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଏହି ଆଲୋଚନାରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ରାଜ୍ୟ ସଦସ୍ୟ ଶ୍ରୀନିବାସ ରାଓ, ଅଖିଳ ଭାରତୀୟ ଆଶା କର୍ମୀ ମହାସଂଘର ସହସଂଯୋଜିକା ଡିସି ମା ଥୋରୀ, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ସଭାପତି କମଳା ବେହେରା, ଉପସଭାପତି ରାଜ୍ୟ ସଦସ୍ୟ ସୁଭଦ୍ରା ସେନ୍, ସୁକୁଟି ବିଶୋୟୀ, ସାବିତ୍ରୀ ରାଉତ ଏବଂ ମାଲକାନଗିରି ଓ ବୁଗୁଡ଼ାରୁ ପ୍ରତିନିଧିମାନେ ଭୁବନେଶ୍ୱର ଆସି ମନ୍ତ୍ରୀଙ୍କୁ ଭେଟିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)