ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ ।

ବାଲିଗୁଡା ,୦୩/୦୯ (ପିପିଟି): ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନ ପାଇଁ ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଉତ୍ସବ ମୁଖର ହୋଇ ଉଠିଛି । ବିଶ୍ଵହିନ୍ଦୁ ପରିଷଦର ବିଭିନ୍ନ ଅଞ୍ଚଳ ରୁ ସାଧୁସନ୍ଥ ମାନେ ଆସି ପହଞ୍ଚିଗଲେଣି । ଆଶ୍ରମ ପରିସର ଏବେ ଭକ୍ତିମୟ ପରିସର । ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀ ମାନେ ଆଶ୍ରମ ପରିସରର ସାଜସଜ୍ଜା ଓ ସ୍ୱାମୀଜୀଙ୍କ ରହିବା ସ୍ଥଳଠାରୁ ଆରମ୍ଭ କରି ତାଙ୍କ ପ୍ରତିମୂର୍ତ୍ତି ଓ ବ୍ୟବହୃତ କଠଉ ପର୍ଯ୍ୟନ୍ତ ସଫାସୁତୁରା କରାଯାଇଛି । ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ କହିଛନ୍ତି। ଶୁକ୍ରବାର ସକାଳୁ ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ଯ୍ୟପୂଜା ଓ ସ୍ମୃତିସଭା ଆୟୋଜିତ ହେବ। ସେହିପରି ସନ୍ଧ୍ୟାରେ ଜନ୍ମାଷ୍ଟମୀ ପୂଜା କାର୍ଯ୍ୟକ୍ରମ ରହିଛି। ଏହା ସହ ଆସୁଥିବା ଅତିଥି ଓ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ଵହିନ୍ଦୁ ପରିଷଦ ର ପ୍ରାନ୍ତ ସଂଗଠନ ସମ୍ପାଦକ ମହେଶ କୁମାର ସାହୁ , ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ , ସେବା ବିଭାଗର ସହ ପ୍ରମୁଖ ନଗେନ୍ଦ୍ର ମହାରଣା , ଅରୁଣ ଭାଇ , ସହ ବିଶ୍ଵହିନ୍ଦୁ ପରିଷଦ ର ସରୋଜ ବେହେରା , ମଞ୍ଜୁଲତା ମହାନ୍ତ ,ତୃପ୍ତି ପଟ୍ଟନାୟକ , ସରୋଜ ବେହେରା ,ଅଚ୍ୟୁତା ନନ୍ଦ କହଁର , ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ଵାଇଁ ,ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ଅନ୍ୟପଟେ ଉତ୍ସବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ଛକରେ ନାକା ପୋଷ୍ଟ ଖୋଲାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଦୁଇଚକିଆ ଯାନଠାରୁ ଆରମ୍ଭ କରି ଚାରିଚକିଆ ଯାନ ପର୍ଯ୍ୟନ୍ତ ଯାଞ୍ଚ କରୁଛି ପୋଲିସ। ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଜାଲେଶପଟ୍ଟା ଆଶ୍ରମ ପରିସରରେ ବନ୍ଧୁକ ଧାରୀ ପୁଲିସ ପକ୍ଷରୁ କଡ଼ା ପ୍ରହାର ଦିଆଯିବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ଆଇ ଜି ସଞ୍ଜୟ କୁମାର ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପର୍କ ରେ ସମୀକ୍ଷା କରିଥିବା ଜଣାପଡିଛି । ଏହା ପରେ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ଙ୍କ ସହ ମିଶି ସଞ୍ଜୟ କୁମାର ଆଶ୍ରମ କୁ ଯାଇ ଫେରିଛନ୍ତି । ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ସମଗ୍ର ଅଞ୍ଚଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବିଷୟ ତୁମୁଡିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment