ସ୍ୱାଭିମାନ ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ବ ଗ୍ରାମ ଆଜିବି ଅନ୍ଧାର ଘେରରେ ।

ମାଲକାନଗିରି,୨୬/୦୪(ପିପିଟି): ତତ୍ପରତା ଦେଖାଇଲେ ରାଜ୍ୟ ସରକାର । ମାଓପ୍ରବଣ ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ହେଲା ଗୁରୁପ୍ରିୟା ସେତୁ । ଦୁର୍ଗମ ଇଲାକାର ଅନେକ ପଞ୍ଚାୟତ ବାହ୍ୟଜଗତ ସହ ସଂଯୁକ୍ତ ହେଲେ । ଅଞ୍ଚଳବାସୀଙ୍କୁ ବି ଅନେକ ସ୍ଵପ୍ନ ଦେଖାଇଲେ ସରକାର । ବିଚ୍ଛିନ୍ନାଞ୍ଚଳର ନାମ ପରିବର୍ତ୍ତନ କରି ଏହାକୁ ସ୍ଵାଭିମାନ ଅଞ୍ଚଳର ନାଁ ଦେଲେ ସରକାର । ପ୍ରଶାସନ ବି ଦମ୍ ଦେଖାଇ ବିକାଶର ଗାଡ଼ି ସେଠାରେ ଜୋରସୋରରେ ଗଡିବ ବୋଲି ପ୍ରତିଶ୍ରୁତି ଦେଲେ ।ଗୁରୁପ୍ରିୟା ସେତୁକୁ ନେଇ ଯେଉଁଭଳି ପ୍ରଚାର କରାଗଲା , ଲାଗିଲା କମ୍ପନ ସତେଯେମିତି ସ୍ଵାଭିମାନ ଅଞ୍ଚଳକୁ ସବୁକିଛି ମିଳିଯାଇଛି ।ସ୍ଵାଧୀନତାର ୭୫ ବର୍ଷ ପରେ ବି ଓଡ଼ିଶାର କୌଣସି ଅଞ୍ଚଳ ଅଗମ୍ୟ ରହିବା ଆମ ଦୀର୍ଘବର୍ଷର ଶାସନ ବ୍ୟବସ୍ଥାରେ ଗୋଲାପୀ ବିକାଶର ସତ୍ୟକୁ ସ୍ବୀକାର କରିବାକୁ ବାଧ୍ୟ କରିଛି । ଏବେ ଗୁରୁପ୍ରିୟା ସେତୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଅନେକ ଉନ୍ନତି ଆଣିଛି , ଏହାକୁ ଅସ୍ବୀକାର କରାଯାଇ ନପାରେ, ମାତ୍ର ଅସଲ କଥା ହେଉଛି- ସ୍ଵାଭିମାନ ଅଞ୍ଚଳବାସୀ ସଡ଼କର ସଂଯୋଗ ସିନା ପାଇଲେ । କିନ୍ତୁ ଏକ ମୌଳିକ ଆବଶ୍ୟକତା ବିଜୁଳି ସଂଯୋଗର ଅଭାବ ରହିଲା । ଗୋଟିଏ କି ଦୁଇଟି ନୁହେଁ ; ୧୫୦ ଟି ଗାଁ ଏବେ ଅନ୍ଧାରରେ ରହିଛି । ଅସହ୍ୟ ତାତିରେ ସାରା ଓଡ଼ିଶା ସନ୍ତୁଳିତ ହେଉଥିବା ବେଳେ ସ୍ଵାଭିମାନ ଅଞ୍ଚଳବାସୀଙ୍କ ପାଇଁ ବିଜୁଳି ସଙ୍କଟ ପ୍ରଚାର ସର୍ବସ୍ବ ସରକାରୀ ଉଦାସୀନତାକୁ ପଦାରେ ପକାଇଛି । ବିଜୁଳି ନଥିବାରୁ ବିକାଶ ରଥର ଚକ ଏବେ ଅଚଳ । ପାନୀୟ ଜଳ ପ୍ରକଳ୍ପ ହୋଇଛି ; ଅଥଚ କାମ କରୁନି । ଚାଷୀଟି ମୋଟରପମ୍ପ ବ୍ୟବହାର କରି ନପାରି ଡିଜେଲ ପମ୍ପ ଭଡାରେ ଆଣି ଖର୍ଚ୍ଚାନ୍ତ ହେଉଛି । ଯୁବଗୋଷ୍ଠୀଙ୍କ ପାଇଁ ବିଜୁଳି ପାଲଟିଛି ଦକ୍ଷତା ବିକାଶରେ କଣ୍ଟା । ଆଧୁନିକ ଜ୍ଞାନକୌଶଳ ଆହରଣ ଓ ଦକ୍ଷତା ବିକାଶ ପାଇଁ ଆସିଥିବା କଂପ୍ୟୁଟର ବିଜୁଳି ଅଭାବରୁ ଅକାମୀ । ବିଜୁଳି ଭଳି ଏକ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସରକାର ସ୍ଵାଭିମାନ ଅଞ୍ଚଳରେ ବିଫଳ ହୋଇଛନ୍ତି । କାରଣ ୧୦ ବର୍ଷ ତଳେ ଯେଉଁ ବିଜୁଳି ସମସ୍ୟାର ସମାଧାନ ଲାଗି ପୂର୍ବତନ ଜିଲ୍ଲାପାଳ ଆର ଭିପ୍ସିଲକ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ କରିଥିଲେ, ଏବେ ମାଓବାଦୀଙ୍କ ପ୍ରଭାବହୀନ ସତ୍ତ୍ଵେ ମଧ୍ୟ ଏଠାରେ ବିଜୁଳିର ଭିତ୍ତିଭୂମି ବିକାଶ ହୋଇପାରିନି । ଦୁର୍ଭାଗ୍ୟ ଏହି ଯେ , ଆଜି ବି ଏହି ଅଞ୍ଚଳର ୯ ପଞ୍ଚାୟତ ଜଡାମ , ଜାନବାଇ , ପାପରମେଟଲା , ରାଲେଗେଡ଼ା , ଯନ୍ତ୍ରୀ , ଅଣ୍ଡାପାଲ୍ଲୀ , ପଣସପୁଟ , ବଡପଡ଼ା , ବଡପଦର ଅଞ୍ଚଳରେ ବିକାଶର ଗାଡି ଆଗେଇ ପାରୁନାହିଁ । ଲୋ ଭୋଲଟେଜ ଓ ବିଜୁଳି ସମସ୍ୟା ଯୋଗୁଁ ୧୫୦ ଗାଁର ଆଦିବାସୀ ଅନ୍ଧାରରେ ଜୀବନ ବିତାଉଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଓ ଗ୍ରୀଷ୍ମର ପ୍ରକୋପରେ ସିଝିଛନ୍ତି ଆଦିବାସୀ । ବିଜୁଳିର ସ୍ଥାୟୀ ସମାଧାନ ନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ସେଠାରେ ପାୱାର ଗ୍ରୀଡ୍ ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରିନାହିଁ । ଦକ୍ଷତା ଓ କୌଶଳ ଥାଇ ମଧ୍ୟ ହାତ ବାନ୍ଧି ବସିଛନ୍ତି ଲୋକୋ କମ୍ପୁଟର ଗୁଡିକ କାର୍ଯ୍ୟ ହେଉ ନ ଥିବା ବେଳେ ୱେଲଡିଂ କାମ ଜାଣି ମଧ୍ୟ ବିଦ୍ୟୁତ ନ ଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭଳି ବଲବ ଗୁଡିକ ଜଳୁଛି । ଖରା , ବର୍ଷା ହେଲେ ଦୁଇଦିନ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇପଡୁଛି । ବହୁ କୋଟି ଟଙ୍କା ବ୍ୟୟରେ ସ୍ବାଭିମାନ ଅଞ୍ଚଳ ବଡପଡ଼ାଠାରେ ଏକ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ ହୋଇଥିଲା । ୩୩ କେଭି ବିଦ୍ୟୁତ୍ ସଂଯୋଗ କରାଯାଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ କାରଣ ଗୁରୁପ୍ରିୟା ସେତୁ ମଧ୍ୟ ଦେଇ ଉକ୍ତ ବିଦ୍ୟୁତ ତା’ର ଗଲେ ଦୁର୍ଘଟଣା ଆଶଙ୍କା ଥିବାରୁ ତାର ସଂଯୋଗ କରାଯାଇପାରୁ ନାହିଁ ଅସୁବିଧା ହେଉଛି । ବିଭାଗ ପକ୍ଷରୁ ବୈଷୟିକ ସମସ୍ୟା ରହିଥିବା ବେଳେ ଅଦ୍ୟାବଧୂ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ଉପରୁ ତାର ନେବା ପାଇଁ ଅନୁମତି ଦିଆଯାଇ ନ ଥିଲା । ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଓପିଡିସିଏଲ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା ସରିଛି । ସ୍ବତନ୍ତ୍ର କେବୁଲ ଯୋଗେ ୩୩ କେଭି ତାର ପୋଲ ପାର୍ଶ୍ଵ ଦେଇ ନିଆଯିବା ପାଇଁ ବ୍ୟବସ୍ଥା କରାଯିବ । ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଥିଲେ । ସେତେବେଳେ ମଧ୍ୟ ସ୍ଥାନୀୟ ଅଧିବାସୀ ଏହି ପୁରୁଣା ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ତାଙ୍କୁ ଜଣାଇଥିଲେ । ଏହା ସତ୍ତ୍ବେ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି । ବିଦ୍ୟୁତ୍ ନ ଥିବାରୁ ସାଧାରଣ ଚାଷୀ ମୋଟର ପମ୍ପ ବ୍ୟବହାର କରି ନ ପାରି ଭଡ଼ା ସୂତ୍ରରେ ଜେନରେଟର ଆଣୁଛନ୍ତି । ଡିଜେଲ , ଜଳସେଚନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଦୁଇଟି ପାନୀୟ ଜଳ ସେଚନ ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିଁ ପାଇପ୍‌ ଯୋଗେ ପିଇବା ପାଇଁ ଆଦିବାସୀ ଅଞ୍ଚଳକୁ ସ୍ବପ୍ନ ପାଲଟିଛି । ସବୁଠାରୁ ଦୁର୍ଭାଗ୍ୟ ବିଷୟ ସରକାର ଉକ୍ତ ଅଞ୍ଚଳରେ ବିକାଶର ଧାରା ଆରମ୍ଭ କରି ବିଦ୍ୟାଳୟ ,ଡାକ୍ତରଖାନା , ଟାୱର , ରାସ୍ତାଘାଟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା କେବଳ ତାହା ଭିତ୍ତିପ୍ରସ୍ତରରେ ସୀମିତ ରହିଛି । ବିଜୁଳି କ୍ଷେତ୍ରରେ ୧୦ ବର୍ଷ ପୂର୍ବ ସ୍ଥିତି ଆଜି ବି ସ୍ଵାଭିମାନ ଅଞ୍ଚଳବାସୀଙ୍କ ପାଇଁ ସେମିତି ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment