ମାଲକାନଗିରି,୦୧/୦୬(ପିପିଟି):ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରାଜ୍ୟରେ ‘ମଡେଲ ଭିଲେଜ ମିଶନ’ ଏବଂ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଚାଲୁଥିବା ‘ସେତୁ’ ଯୋଜନାର ଏକ ମିଳିତ ତଥା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରସିଦ୍ଧ ସ୍ୱାଭିମାନ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାର ସାମଗ୍ରିକ ବିକାଶ ଓ ରୂପାନ୍ତରଣ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ମଡେଲ ଭିଲେଜ ମିଶନର ରୂପାୟନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି, ଯାହା ଗ୍ରାମାଞ୍ଚଳଗୁଡ଼ିକୁ ସହରାଞ୍ଚଳ ସ୍ତରର ସୁବିଧା ପ୍ରଦାନ କରି ସେଗୁଡିକୁ ଆତ୍ମନିର୍ଭରଶୀଳ ଓ ସ୍ୱୟଂଶାସିତ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବ। ଜିଲ୍ଲାର ୧୧୧ ଟି ଗ୍ରାମ ପଞ୍ଚାୟତରେ ଏହି ମଡେଲ ଭିଲେଜ ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ବିଶେଷ ଭାବେ ଚିତ୍ରକୋଣ୍ଡା ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତ ଏବଂ କୋରକୁଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ସାମିଲ ରହିଛି। ନିକଟରେ ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ଷେତ୍ର ପରିଦର୍ଶନ ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ସଂଗୃହିତ ଅଭିଯୋଗ ଆଧାରରେ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।ଏହି ଲକ୍ଷ୍ୟ ପୂରଣର ପ୍ରଥମ ପଦକ୍ଷେପ ଭାବେ ଗ୍ରାମ ସ୍ତରରେ ଭିତ୍ତିଭୂମି ଓ ସୁବିଧାର ଅଭାବ ଚିହ୍ନଟ କରିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏବଂ ଶକ୍ତି ବିଭାଗ ଭଳି ସମସ୍ତ ଅଂଶୀଦାର ବିଭାଗ ସହ ପରାମର୍ଶ କରି ଏକ ନିର୍ଦ୍ଧାରିତ ସର୍ଭେ ଫର୍ମାଟ୍ ସମସ୍ତ ବିଭାଗକୁ ପ୍ରଦାନ କରାଯାଇଛି ଏବଂ ଆସନ୍ତା ୧୫ ଜୁନ୍ ସୁଦ୍ଧା ଏହି ବେସଲାଇନ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ମେଗା ମିଶନର ସମନ୍ୱୟ ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ମୁଖ୍ୟ ସ୍ରୋତ ସହ ଯୋଡ଼ିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଥମ ଓ ଦ୍ୱିତୀୟ ଶାଖା ପକ୍ଷରୁ ନୂତନ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଓଡ଼ିଶା ଉଠା ଜଳସେଚନ ନିଗମ ମାଧ୍ୟମରେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ସହ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ପ୍ରତିଟି ପଡ଼ାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯିବ। ଏହାବାଦ୍ ସ୍ୱାଭିମାନ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦକ୍ଷିଣ ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ କାର୍ଯ୍ୟକୁ ଆହୁରି ତେଜ୍ କରାଯିବ। ଗ୍ରାମ ପଞ୍ଚାୟତଗୁଡ଼ିକର ବିକାଶ ଲାଗି ଏହି ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ସହ କାର୍ଯ୍ୟର ସ୍ୱଚ୍ଛତା ବଜାୟ ରଖିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ଓ ନିରୀକ୍ଷଣ ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ, ଏହି ନୂତନ ଯୋଜନାଟି ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ରୂପାନ୍ତରଣ ଘଟାଇ ତାହାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ଏହି ଅବସରରେ ମତ ପ୍ରକାଶ କରିଛନ୍ତି।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)