ଯାଜପୁର,୦୮/୦୯(ପିପିଟି):ଗତକାଲି ଅପରାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାର ବର୍ତ୍ତମାନ ସ୍ଥିତି ଓ ପରବର୍ତ୍ତୀ କାର୍ଯ୍ୟସୂଚୀ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି, ନାମ ବାଦ ପଡ଼ିବା, ସଂଶୋଧନର ଆବଶ୍ୟକତା ଓ ଚିହ୍ନଟ ଅସଙ୍ଗତି ସମ୍ପର୍କିତ ଦାବି ଓ ଆପତ୍ତି ଉପରେ ନୋଟିସ ପ୍ରଦାନ ସହ ଶୁଣାଣି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।
ଭୋଟର ତାଲିକାରେ ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ନିଷ୍ପତ୍ତି ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୈଠକରେ ଅବଗତ କରାଯାଇଥିଲା।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ବିଭିନ୍ନ ବିଭାଗର ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ସିଡିଓ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଉପଜିଲ୍ଲାପାଳ, ଅତିରିକ୍ତ ସିଡିଓ, ଡେପୁଟି କଲେକ୍ଟର (ନିର୍ବାଚନ) ଅଶୋକ କୁମାର ଦେହୁରୀ, ବିଭାଗୀୟ ଅଧିକାରୀ ଦେବେନ୍ଦ୍ର ନାଥ କରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।