‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ।

ଗୋପାଳପୁର,୧୨/୦୯(ପିପିଟି): ଆମ ସମୁଦ୍ର, ଆମ ବେଳାଭୂମି ଓ ଆମ ପରିବେଶର ସୁରକ୍ଷା ହିଁ ଆମ ଭବିଷ୍ୟତର ସୁରକ୍ଷା । ଏହି ବାର୍ତ୍ତା ନେଇ ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଆଜି ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି । ଅନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସ୍ୱଚ୍ଛ ସାଥୀମାନେ ସାମିଲ ହୋଇ ସମୁଦ୍ର ଓ ବେଳାଭୂମିକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାର ବାର୍ତ୍ତା ଦେଇଛନ୍ତି ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍ କହିଥିଲେ ଯେ,ସମୁଦ୍ର ଓ ବେଳାଭୂମି କେବଳ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ,ଏହା ଆମ ଜୀବନ, ଜୀବିକା ଓ ଭବିଷ୍ୟତ ସହ ଜଡ଼ିତ। ଓଡ଼ିଶାର ପ୍ରାୟ ୫୭୫ କି.ମି. ବେଳାଭୂମି ମଧ୍ୟରୁ ଗଞ୍ଜାମରେ ୬୨.୯ କି.ମି. ବେଳାଭୂମି ରହିଛି । ତେଣୁ ସମୁଦ୍ର ଓ ବେଳାଭୂମିର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ପ୍ରକୃତି ଓ ପରିବେଶର ସୁରକ୍ଷା କେବଳ ଏକ ଅଭିଯାନରେ ସୀମିତ ନ ରହି ଏହା ଆମ ଦୈନନ୍ଦିନ ଜୀବନର ଅଂଶ ହେବା ଦରକାର ବୋଲି ସେ କହିଥିଲେ। ପ୍ରକୃତି ମା’କୁ ଭଲ ପାଇବା ସହ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ।

ନୀଳ ଅର୍ଥନୀତି, ସୁସ୍ଥ ଓ ସ୍ଥାୟୀ ବିକାଶ, ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ବିକାଶ ତଥା ସାମୁଦ୍ରିକ ଗବେଷଣା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଗବେଷଣା ପାଇଁ ସରକାର ‘ଓମ୍ବ୍ରିକ’ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ସାମୁଦ୍ରିକ ଗବେଷଣା ପାଇଁ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ଘାସ ଓ ଶୈବାଳର ସୁରକ୍ଷା ଏବଂ ବିସ୍ତାର ଉପରେ ଗବେଷଣା କରୁଛି ବୋଲି ସେ ସୂଚନା ଦେଇଥିଲେ ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସ୍ୱାଗତ ଭାଷଣରେ ଜିଲ୍ଲାରେ ପ୍ରତି ମଙ୍ଗଳବାର ଚାଲିଥିବା ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ। ‘ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ସହ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’କୁ ଯୋଡ଼ିବାର ଏହା ଉପଯୁକ୍ତ ସମୟ ବୋଲି ସେ କହିଥିଲେ। ସ୍ୱଚ୍ଛ,ସୁନ୍ଦର ଓ ସମୃଦ୍ଧ ଗଞ୍ଜାମ ଗଠନ ପାଇଁ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସମେତ ସମସ୍ତେ ଆଗେଇ ଆସି ନିଜ ନିଜ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ସେ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶିକା ପୂଜା ମିଶ୍ର, ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଗୋପାଳପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ନାହାକଙ୍କ ସମେତ ଆଇଆଇଏସ୍ଇଆର୍, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଗୋପାଳପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା,ଛାତ୍ରଛାତ୍ରୀ, ଗୋପାଳପୁର ଏନ୍‌ଏସିର ସ୍ୱଚ୍ଛ ସାଥୀ ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ ।

ଏହି ଅବସରରେ ଗୋପାଳପୁର ବେଳାଭୂମିରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିବେଶକୁ ପ୍ରଦୂଷିତ ନ କରିବା,ସମୁଦ୍ର ଓ ବେଳାଭୂମିକୁ ସ୍ୱଚ୍ଛ ରଖିବା ଏବଂ ପରିବେଶ ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ ସଚେତନତା ସୃଷ୍ଟି କରିବା ନେଇ ସମସ୍ତେ ଶପଥ ନେଇଥିଲେ ।

Comments (0)
Add Comment