ସ୍ଵର୍ଗତ ଡ଼ା. ରବୀନ୍ଦ୍ରନାଥ ଲେଙ୍କାଙ୍କ ୮ମ ବାର୍ଷିକ ପାଳନ।

ପୋଲସରା,୨୭/୦୭ (ପିପିଟି) :ଗତକାଲି ପୋଲସରା ଅଞ୍ଚଳର ଜଣାଶୁଣା ଖ୍ୟାତିପ୍ରାପ୍ତ ସ୍ଵର୍ଗତ ଡକ୍ଟର ରବୀନ୍ଦ୍ରନାଥ ଲେଙ୍କାଙ୍କ ୮ମ ବାର୍ଷିକ ପୁଣ୍ୟତିଥି ଦିବସ ସ୍ଥାନୀୟ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମରଣ କରାଇ ଦିଆଯାଇପାରେ ଯେ,ସ୍ଵର୍ଗତ ଲେଙ୍କା ପୋଲସରା ଅଞ୍ଚଳର ଜଣେ ପ୍ରସିଦ୍ଧ ଚିକିତ୍ସକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସରକାରୀ ଚାକିରୀକୁ ପରିତ୍ୟାଗ କରି ନିଜେ ସ୍ଥାନୀୟ ବଜାର ସାହି ଛକଠାରେ ନିଜସ୍ଵ ଚିକିତ୍ସାଳୟ ଖୋଲି ଲୋକଙ୍କ ସେବା କରି ବେଶ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଜନ୍ମ କଟକ ଜିଲ୍ଲା ବିଦ୍ୟାଧରପୁର ଗ୍ରାମରେ ୧୯୩୮ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ ହୋଇଥିଲା। ତାଙ୍କର ସ୍ଵର୍ଗତ ମାତାଙ୍କ ନାମ ହେମଲତା ଲେଙ୍କା ଓ ସ୍ଵର୍ଗତ ପିତାଙ୍କ ନାମ ବିଶ୍ଵନାଥ ଲେଙ୍କା। ସ୍ଵର୍ଗତ ରବୀନ୍ଦ୍ରନାଥ ୭୯ ବର୍ଷ ବୟସରେ ସ୍ଵର୍ଗାରୋହଣ କରିଥିଲେ। ସେ ଜଣେ ସ୍ଵାଭିମାନୀ, କର୍ତ୍ତବ୍ୟ ପରାୟଣ ଚିନ୍ତାଶୀଳ ଓ ଧାର୍ମିକ ପ୍ରକୃତିରେ ବ୍ୟକ୍ତିଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପୋଲସରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା। ବିଶେଷ କରି ତାଙ୍କ ଦ୍ଵାରା ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ସାଧାରଣ ଜନତା ଗଭିରଭାବେ ମର୍ମାହତ ହୋଇଥିଲେ। ଏଭଳି ବ୍ୟକ୍ତିଙ୍କର ପୁଣ୍ୟତିଥି ଦିବସକୁ ସ୍ମରଣ କରିବା ମହତ୍ ଉଦ୍ଦେଶ୍ୟରେ ତାଙ୍କର ଅନୁଗତ ଏବଂ ସଚେତନ ନାଗରିକ ମାନଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ଵର୍ଗତ ରବୀନ୍ଦ୍ରନାଥଙ୍କ ଫଟୋଚିତ୍ରରେ ଭକ୍ତିପୁତଭାବେ ପୁଷ୍ପାଞ୍ଜଳୀ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅମର ଆତ୍ମାର ସଦଗତି ସକାଶେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ତାଙ୍କର ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଏହି ଭକ୍ତିଭାବପୂର୍ଣ୍ଣ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ,ଯୁବ ସ°ଗଠକ ନାରାୟଣ ସାହୁ, ପ୍ରଦୀପ ସୁବୁଦ୍ଧି, ଦେବେନ୍ଦ୍ର କୁମାର ସାହୁ, ସଚ୍ଚିଦାନନ୍ଦ ବେହେରା, ଶଙ୍କର ପ୍ରଧାନ, ଶିବାଜି ମହାପାତ୍ର, ଭିକାରୀ ପ୍ରଧାନ, ବାବୁଲା ପାତ୍ର, କାହ୍ନୁଚରଣ ସାହୁଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଯୋଗଦାନ ଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment