ସାନଖେମୁଣ୍ଡି,୧୫/୧୨(ପିପିଟି): ଲଘୁଚାପ ଜନିତ ଲଗାଣ ବର୍ଷାରେ ନିଜ ଫସଲ କ୍ଷତିକୁ ହଜମ କରିପାରୁନଥିବା ଚାଷୀ ଜୱାଦ ବାତ୍ୟାପରର ଦୁଇଦିନ ଆକସ୍ମିକ ବର୍ଷା ଅଞ୍ଚଳ ଚାଷୀଙ୍କୁ ହତାଶ କରିଅଛି । କରୋନା ବିପତ୍ତିର ମୁକାବିଲାରେ ଆର୍ଥିକ ମେରୁଦଣ୍ଡକୁ ସଳଖି ନଥିବା ସାଧାରଣ କୃଷକ ସମ୍ପ୍ରତି ନିଜ କ୍ଷତିଗ୍ରସ୍ତ ଫସଲକୁ ନାଚାର ଭାବରେ ରାସ୍ତାରେ ପକେଇ ଅନୁକମ୍ପା ଆଶା କରିଥିବା ବେଳେ ସରକାର ଏ ଦିଗକୁ ନଜର ଅନ୍ଦାଜ କରୁଥିବା ଦେଖିବାକୁ ମିଳୁଛି । ଉପଯୁକ୍ତ କ୍ଷୟକ୍ଷତି ଆକଳନ ପାଇଁ ବ୍ୟବସ୍ଥା ନକରି ସରକାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ରାଜନୀତି ମାଧ୍ୟମରେ ଚାଷୀଙ୍କୁ ଭୁଆଁ ବୁଲାଉଥିବା ନେଇ ଆଜି ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଅଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କ ଏକ ପଦଯାତ୍ରା ପଟୁଆର କରାଯାଇ ସାନଖେମୁଣ୍ଡି ତହସିଲ ସମ୍ମୁଖରେ ଏକ ସମାବେଶ ସଭାର ଆୟୋଜନ କରାଯିବା ସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ସମାବେଶରେ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଚାଷୀ , ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ପାଟପୁର ଗାନ୍ଧୀ ଛକରୁ ଏକ ପଦଯାତ୍ରାରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିଥିଲେ । ନଷ୍ଟ ହୋଇଥିବା ଧାନ,ମକା,କପା, ଜହ୍ନା ସହ ପରିବା ଚାଷରେ ହୋଇଥିବା କ୍ଷତିର ଶତପ୍ରତିଶତ କ୍ଷତି ଭରଣା । ଗ୍ରାମ ଭିତ୍ତିରେ ୟୁନିଟ ଗଣାଯାଇ କ୍ଷୟକ୍ଷତି ଆକଳନ । ଧାନର ସର୍ବନିମ୍ନ ସହାୟତା ମୂଲ୍ୟର ବୃଦ୍ଧି । କ୍ଷତିଗ୍ରସ୍ତ ଚାଷୀଙ୍କ ଧାନକୁ ବିନା ମାନାଙ୍କରେ ଗ୍ରେଡ -୧ ର ଧାର୍ଯ୍ୟ ଦର ପ୍ରଦାନ । ବ୍ୟାଙ୍କ ଋଣ ଛାଡ । ସବୁବର୍ଗର ଚାଷୀଙ୍କୁ ଧାନ ମଣ୍ଡି ପଞ୍ଜିକରଣ ସହ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ ଆଦି ଦଶ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ରକୁ ତହସିଲଦାରଙ୍କ ଅନୁପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସମାବେଶର ଜିଲ୍ଲା କର୍ମକର୍ତ୍ତା ରାଜୀବ ଲୋଚନ ପଣ୍ଡା,ପ୍ରକାଶ ପାତ୍ର, କାମଦେବ ନାହକଙ୍କ ସହ ଆଞ୍ଚଳିକ ପରିଷଦର କୈଳାସ ପାତ୍ର , ଅନନ୍ତ ମହାକୁଡ଼ , ଭଗବାନ ରାଉତ, ସୁଶାନ୍ତ ସ୍ବାଇଁ, ସନ୍ତୋଷ ସ୍ବାଇଁ,ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ସରକାରଙ୍କ ଦିଶାହିନ କୃଷକ ପ୍ରେମକୁ ସାଧାରଣରେ ପ୍ରକଟ କରିବା ସହ କୃଷି ଓ କୃଷକଙ୍କ ପାଇଁ ଥିବା ସରକାରୀ ନୀତିନିୟମକୁ ନେଇ ଉଦବୋଧନ ଦେଇଥିଲେ । ସୁକାନ୍ତ ବେହେରା , ଟୁନା ସ୍ବାଇଁ , ଶିବରାମ ରଣା,ରଘୁନାଥ ସ୍ବାଇଁ ପ୍ରମୁଖ ଶତାଧିକ କ୍ଷତିଗ୍ରସ୍ତ ମହିଳା ଚାଷୀଙ୍କ ସହ ସବୁ ବର୍ଗର କ୍ଷତିଗ୍ରସ୍ତ ଚାଷୀ ସମାବେଶରେ ଅଂଶଗ୍ରହଣ କରି ଦାବି ଉପସ୍ଥାପନ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )