ସାନଖେମୁଣ୍ଡି,୧୯/୧୦(ପିପିଟି): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନସ୍ଥ କଙ୍କୋରଡ଼ା ନେହେରୁ ବହୁମୁଖୀ ବିଦ୍ୟାପୀଠରେ ସ୍ମାର୍ଟ କ୍ଲାସ୍ ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଛାତ ପାଇଁ ସେଣ୍ଟରିଙ୍ଗ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଜି ପୂର୍ବାହ୍ନରେ ଜଣେ ଶ୍ରମିକଙ୍କ ଆକସ୍ମିକ ମୃତ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ବର ଗ୍ରାମର ଗଜେନ୍ଦ୍ର ବିଷୋୟୀଙ୍କ ସାନପୁଅ କୁନା ବିଷୋୟୀ (୨୫) । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର କୁନା ଘର ନିର୍ମାଣ ଲାଗି କାଠ ପଟା , ଠେସକାଠ ଭଡ଼ାରେ ଦେବା ସହ ନିଜେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ । କଙ୍କୋରଡ଼ା ହାଇସ୍କୁଲ ସ୍ମାର୍ଟ କ୍ଲାସ ଛାତ ନିର୍ମାଣ ପାଇଁ ଠେସ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ଆଘାତ ପାଇ ଛିଟିକି ପଡ଼ିଥିଲେ । ତେବେ ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ଗୁରୁତର କୁନାକୁ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ପାଟପୁର ପୋଲିସ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )