ସ୍ବାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା ଅଗ୍ନିଶମ ସେବା କେନ୍ଦ୍ର ।

ମାଲକାନଗିରି,୧୮/୦୫(ପିପିଟି): ଓଡ଼ିଶା ଅଗ୍ନିଶମ ସେବା ଦ୍ବାରା ଆଜି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାଠାରେ ଏବଂ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍ ଅଧୀନସ୍ଥ ଚାନ୍ଦୁଆଠାରେ ଅଗ୍ନିଶମ ସେବା କେନ୍ଦ୍ରର ଉଦ୍‌ଘାଟିତ ହୋଇଛି । ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟର ୩୧୪ଟି ବ୍ଲକ୍ ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶକ୍ତି , ଶିଳ୍ପ , ଏମ୍ଏସ୍ଏମ୍ଇ , ଗୃହ ( ରାଷ୍ଟ୍ର ) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ , ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା , ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ପ୍ରମୁଖ ଯୋଗଦେଇଥିଲେ । ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜନ ସକାଶେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚିତ୍ରକୋଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିବା ଏହି ନୂତନ ଅଗ୍ନିଶମ କେନ୍ଦ୍ର ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଆବଶ୍ୟକତା ପୂରଣ କରିବ ।ମାଲକାନଗିରି ଜିଲ୍ଲାପାଳ ଏହି କେନ୍ଦ୍ର ପାଇଁ ଆବଶ୍ୟକୀୟ ସରକାରୀ ଜମି ଯୋଗାଇ ଦେଇଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment