ସ୍ନାନ ପାଇଁ ଯାଇ ପୋଖରୀରେ ବୁଡି ଯୁବକ ମୃତ ।

ଗଜପତି,୦୧/୧୦ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମର ଜଣେ ଯୁବକ ସ୍ନାନ ପାଇଁ ପୋଖରୀକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜି ସକାଳୁ ଜୟଚନ୍ଦ୍ର ବେହେରା (୨୭) ସ୍ନାନ କରିବା ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବା ଯୋଗୁଁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀକୁ ଯାଇ ଦେଖିବା ବେଳକୁ ଜୟଚନ୍ଦ୍ରଙ୍କ ପୋଷାକ, ମୋବାଇଲ,ବାଇକ ଚାବି ଆଦି ତୁଠରେ ଥୁଆ ହୋଇଥିଲା । ଏହା ଦେଖି କାଳେ ପୋଖରୀରେ ବୁଡି ଯାଇଥିବା ଅଶଙ୍କା କରି ପରିବାର ଲୋକେ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଅଚେତ ଅବସ୍ଥାରେ ଜୟଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଦମକଳ ବାହିନୀ ଗାଡିରେ ଜୟଚନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ଗୁରାଣ୍ଡି ପୋଲିସ୍ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରିଛି । ଏ ଘଟଣାର ତଦନ୍ତ ଏଏସ୍ଆଇ ରାମକୃଷ୍ଣ ପାଣିଗ୍ରାହୀ କରୁଥିବାର ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ,ମୃତ ଜୟଚନ୍ଦ୍ରଙ୍କ ପରିବାର ଅତି ଗରୀବ ଏବଂ ସେ ବିବାହିତ । ତାଙ୍କର ଏକ ବର୍ଷର ଶିଶୁକନ୍ୟା ଏବଂ ଧର୍ମପତ୍ନି ରହିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ କିମ୍ବା ସରକାର ଆର୍ଥିକ ସହାୟତା ଯୋଗାଇଦେଲେ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ସରପଞ୍ଚ ଟି.ଭୀମାରାଜୁଙ୍କ ସମେତ ଗ୍ରାମବାସୀ କହିଛନ୍ତି ।

Comments (0)
Add Comment