ସ୍ଥାୟୀ ନିଯୁକ୍ତି ଦାବୀରେ ଯୋଗାଣ ସହାୟକଙ୍କ ଦାବୀପତ୍ର ପ୍ରଦାନ ।

ଭଞ୍ଜନଗର,୦୬/୦୪(ପିପିଟି):ଭଞ୍ଜନଗର ବ୍ଲକର ୨୨ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ୧୪ଜଣ ଯୋଗାଣ ସ‌ହାୟକ ମିଳିତ ଭାବରେ ଲାଲ ସିଙ୍ଗ ପଞ୍ଚାୟତ ର ଯୋଗାଣ ସହାୟକ ତଥା ସଂଘର ସଭାପତି ମାନସ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶନିବାର ଠାରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବା ସହ ବି.ଡି.ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଥିବା ବେଳେ ଯୋଗାଣ ସହାୟକ ମାନେ ଏଥିରୁ ବଞ୍ଚିତ ଅଛନ୍ତି। ସେମାନଙ୍କ ଦାବୀ ମଧ୍ୟରେ ସମସ୍ତ ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ ଭଞ୍ଜନଗର ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ଖାଲି ଥିବା ୮ଟି ପଦବୀ ପୂରଣ କରାଯାଉ।ଜଣେ ଜଣେ ୨ଟି ପଞ୍ଚାୟତରେ ଦାୟିତ୍ୱ ତୁଲାଇବା ସେମାନଙ୍କ ପାଖେଇ କଷ୍ଟକର ହୋଇପଡ଼ିଛି।
ଗତ ୨୦୧୨ ମସିହାରୁ ରାଜ୍ୟ ସରକାର ସାଧାରଣ ବଣ୍ଟନ ସାମଗ୍ରୀର ସୁଷମ ବଣ୍ଟନ ପାଇଁ ଯୋଗାଣ ସହାୟକ ମାନଙ୍କୁ ନିଯୁକ୍ତି ଦେଇଥିଲେ ।ଦୀର୍ଘ ୧୩ବର୍ଷ ହେଲା ଏହି ଯୋଗାଣ ସହାୟକ ମାନେ ନିଷ୍ଠାର ସହ ନିଜର ଦାୟିତ୍ଵ ତୁଲାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦେଉନାହାନ୍ତି ।ଯାହାର ପ୍ରତିବାଦ ସ୍ବରୂପ ଆଜି ସେମାନେ ଛୁଟିରେ ରହି ନିଜର ପି.ଡି.ଏସ ମେସିନ ଓ ଗୋଦାମ ଗୃହ ଚାବି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜିମାରେ ଦେଇଛନ୍ତି।ଯାହା ଫଳରେ ସାଧାରଣ ବଣ୍ଟନ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖା ଦେଇଛି ।ଏପରିକି ମାସିକ ଚାଉଳ ବଣ୍ଟନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ବର୍ତ୍ତମାନ ଚାଲିଥିବା ଇ-କେୱାଇସି କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଛି।ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଣୁ ଦୀର୍ଘ ଦିନ ଧରି କାର୍ଯ୍ୟରତ ଏହି ଯୋଗାଣ ସହାୟକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି।ଏଥିରେ ସଭାପତି ଶ୍ରୀ ପଣ୍ଡାଙ୍କ ସମେତ ଦିପୁନ କୁମାର ବେହେରା, ସୁମନ୍ତ ମିଶ୍ର,ପ୍ରବୀଣ କୁମାର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment