ସ୍ଥାୟୀ ନଗରୀକରଣ ଓ ଭବିଷ୍ୟତମୁଖୀ ସହର ବିକାଶ ଉପରେ ଆଲୋଚନା ।

ଭୁବନେଶ୍ୱର,୨୩/୦୬(ପିପିଟି):ଓଡ଼ିଶାରେ ସ୍ଥାୟୀ ନଗରୀକରଣ, ଜଳବାୟୁ-ସହନଶୀଳ ନଗର ବ୍ୟବସ୍ଥା ଏବଂ ଭବିଷ୍ୟତମୁଖୀ ସହର ବିକାଶ ପାଇଁ ରଣନୀତି ପ୍ରସ୍ତୁତି ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ଏକାଡେମୀ ପକ୍ଷରୁ ଆଜି ବିଶିଷ୍ଟ ସହରାଞ୍ଚଳ ଶାସନ ବିଶେଷଜ୍ଞ ତଥା ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ମାନ୍ୟବର ସଦସ୍ୟ ଡଃ ଓ.ପି. ଅଗ୍ରୱାଲଙ୍କ ସହ ଏକ ଉଚ୍ଚସ୍ତରୀୟ ରଣନୀତିକ ଆଲୋଚନାର ଆୟୋଜନ କରାଯାଇଥିଲା ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ , ସହର ଯୋଜନାବିତ୍, ନଗର ପରିଚାଳନା ବିଶେଷଜ୍ଞ ଓ ବିକାଶ କ୍ଷେତ୍ରର ପେସାଦାରମାନେ ଯୋଗଦେଇଥିଲେ ।

ଆଲୋଚନାରେ ଓଡ଼ିଶାର ଦ୍ରୁତ ନଗରୀକରଣ ପ୍ରକ୍ରିୟାକୁ ଅଧିକ ସୁପରିଚାଳିତ ଓ ସ୍ଥାୟୀ କରିବା, ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ନାଗରିକ ସେବା ପ୍ରଦାନରେ ଉନ୍ନତି ଆଣିବା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଚ୍ୟାଲେଞ୍ଜର ସଫଳ ମୁକାବିଲା ପାଇଁ ସହରଗୁଡ଼ିକର ପ୍ରତିଷ୍ଠାନଗତ ଓ ପ୍ରଶାସନିକ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ଡଃ ଅଗ୍ରୱାଲ ସହନଶୀଳ ଓ ସ୍ଥାୟୀ ସହର ଗଠନ ପାଇଁ ଦକ୍ଷ ମାନବ ସମ୍ବଳ, ସୁଦୃଢ଼ ଅନୁଷ୍ଠାନ ଏବଂ ପ୍ରମାଣ-ଭିତ୍ତିକ ନୀତି ପ୍ରଣୟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସହରାଞ୍ଚଳ ଭିତ୍ତିଭୂମି ଓ ନାଗରିକ ସେବା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତିକୁ ସେ ପ୍ରଶଂସା କରିବା ସହିତ ସ୍ଥାନୀୟ ଆବଶ୍ୟକତା ସହ ସମନ୍ୱିତ ଅଭିନବ ଏବଂ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଅନୁସରଣ ପାଇଁ ପରାମର୍ଶ ଦେଇଥିଲେ ।

ଶ୍ରୀମତୀ ପାଢ଼ୀ ରାଜ୍ୟ ସରକାରଙ୍କ ନାଗରିକ-କେନ୍ଦ୍ରିକ ଓ ଜଳବାୟୁ-ସହନଶୀଳ ସହର ଗଠନ ପ୍ରତି ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ । ସହରାଞ୍ଚଳ ପ୍ରଶାସନ ଏବଂ ସେବା ପ୍ରଦାନ କ୍ଷେତ୍ରରେ କ୍ଷମତା ବିକାଶ ପାଇଁ ନିରନ୍ତର ବିନିଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଓଡ଼ିଶା ଅର୍ବାନ ଏକାଡେମୀର ଆଧୁନିକୀକୃତ ପ୍ରଶିକ୍ଷଣ ଓ ଆବାସିକ ସୁବିଧା ସହ ମଇଳା ପାଣି ବିଶୋଧନ, ସେପ୍ଟେଜ୍ ପରିଚାଳନା ଓ ସମ୍ବଳ ପୁନଃବ୍ୟବହାର ଆଧାରିତ ପ୍ରଦର୍ଶନୀ ୟୁନିଟଗୁଡ଼ିକ ବ୍ୟାବହାରିକ ଶିକ୍ଷା ଓ ପେସାଦାର ଦକ୍ଷତା ବିକାଶ ପାଇଁ ମୂଲ୍ୟବାନ ସମ୍ପଦ ବୋଲି ଉଲ୍ଲେଖ କରିଥିଲେ।

ଅଧିବେଶନରେ ହାଇବ୍ରିଡ୍ ପ୍ରଶିକ୍ଷଣ ମଡେଲ, ଅଭିଜ୍ଞତାଭିତ୍ତିକ ଶିକ୍ଷା, ଜ୍ଞାନ ବିନିମୟ ବ୍ୟବସ୍ଥା ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସର୍ବୋତ୍ତମ ମାନଦଣ୍ଡ ଅନୁଯାୟୀ ସହରାଞ୍ଚଳ ସେବାର ବେଞ୍ଚମାର୍କିଂ ଭଳି ଆଧୁନିକ କ୍ଷମତା ବିକାଶ ଆଭିମୁଖ୍ୟ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ରଣନୀତିକ ଆଲୋଚନା ପୌର ନେତୃତ୍ୱକୁ ସୁଦୃଢ଼ କରିବା, ଜ୍ଞାନ-ଭିତ୍ତିକ ସହର ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାର ସହରାଞ୍ଚଳ ଗୁଡିକୁ ଅଧିକ ସକ୍ଷମ, ସମାବେଶୀ ଓ ସ୍ଥାୟୀ କରିବା ଦିଗରେ ଓଡ଼ିଶା ଅର୍ବାନ ଏକାଡେମୀର ନିରନ୍ତର ପ୍ରୟାସର ପ୍ରତିଫଳନ ।

 

Comments (0)
Add Comment