ସେବାନିବୃତ ସରକାରୀ କର୍ମଚାରୀ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ।

ପୋଲସରା,୧୮/୦୮ (ପିପିଟି): ଚଳିତ ଅଗଷ୍ଟ ୧୫ ତାରିଖ ଶନିବାର ଦିନ ପୋଲସରା ସେବାନିବୃତ ସରକାରୀ କର୍ମଚାରୀ ଶିକ୍ଷକ ସଂଘ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ସ୍ଥାନୀୟ ମହାବୀର ଦନ୍ତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ନାରୀନେତ୍ରୀ ଜୟନ୍ତୀ ପଢିଆରି ଯୋଗଦେଇ ସାମ୍ବିଧାନିକ ନିୟମ ପ୍ରକାରେ ଜାତୀୟ ପତାକା ଉତ୍ତୋଳନ କରିବାପରେ ସାମୁହିକ ଭାବେ ଜାତୀୟ ସଙ୍ଗୀତ ଜନ-ଗଣ-ମନ ଗାନ କରାଯିବା ସହିତ ବିଭିନ୍ନ ଜାତୀୟ ସ୍ଲୋଗାନ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ଉପସ୍ଥିତ ସେବାନିବୃତ କର୍ମଚାରୀ ଏବଂ ଶିକ୍ଷାବିତ୍‌ବୃନ୍ଦ ସ୍ୱାଧୀନତା ଦିବସର ଅନୁଚିନ୍ତା ଉପରେ ନିଜ ନିଜର ସୁଚିନ୍ତିତ ସାରଗର୍ଭ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଉତ୍ସବରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ପୃକ୍ତ କାର୍ଯ୍ୟକ୍ରମଟି ସଂଘ ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସେବାନିବୃତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ସଭାପତିତ୍ୱ ଏବଂ ଯୁବ କବି ତଥା ମଞ୍ଚ ଉପସ୍ଥାପକ ରାଇ ରଞ୍ଜନ ନନ୍ଦଙ୍କ ସଂଯୋଜନାରେ ହୋଇଥିବା ବେଳେ ଟ୍ରଷ୍ଟର ଦନ୍ତ ଚିକିତ୍ସକ ସୁଜିତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଶ୍ବାଳ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment