ସୁସ୍ଥ ହେଉଛନ୍ତି ୫ ଓରାଙ୍ଗଉଟାନ ଶାବକ, ଖୁବ୍ଶୀଘ୍ର ନନ୍ଦନକାନନରେ ଦେଖିବେ ପର୍ଯ୍ୟଟକ ।

କଟକ, ୦୧/୧୦(ପିପିଟି): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ୍ଶୀଘ୍ର ପର୍ଯ୍ୟଟକମାନେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ଦେଖିପାରିବେ। ବୁଧବାର ନନ୍ଦନକାନନ ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ପିସିସିଏଫ୍ ପ୍ରେମ କୁମାର ଝା ନନ୍ଦନକାନନ ଗସ୍ତ କରି ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ସମୀକ୍ଷା କରିଥିଲେ। ସେମାନଙ୍କ ଖାଦ୍ୟ, ଚଳଣି ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ।
ଗତ ୮ ତାରିଖରେ ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନନ୍ଦନକାନନର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଆରମ୍ଭରେ ପ୍ରତି ଦୁଇ ଘଣ୍ଟାରେ ପାଉଡର କ୍ଷୀର ଦିଆଯାଉଥିବା ବେଳେ ଡାକ୍ତରୀ ଦଳ ୨୪ ଘଣ୍ଟିଆ ନଜର ରଖିଥିଲେ। ଶାବକମାନଙ୍କ ମଧ୍ୟରେ ରକ୍ତହୀନତା ଦେଖାଦେବା ପରେ ବିଶେଷଜ୍ଞଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇ ଚିକିତ୍ସା କରାଯାଇଥିଲା।
ବର୍ତ୍ତମାନ ସେମାନଙ୍କ ଖାଦ୍ୟରେ ଗାଜର ଓ ବିନ୍ସ ଭଳି ସିଝା ପନିପରିବା ସାମିଲ କରାଯାଇଛି। ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ମଧ୍ୟ ରଖାଯାଉଛି। ଆଗକୁ ଡିଏନ୍ଏ ପରୀକ୍ଷା ପାଇଁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ୩୦ ଦିନର ସଙ୍ଗରୋଧ ଅବଧି ଶେଷ ହେବା ପରେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସେମାନଙ୍କୁ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ଛଡ଼ାଯିବ।
ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ନନ୍ଦନକାନନର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ। ଆଗାମୀ ଦିନରେ ପର୍ଯ୍ୟଟକମାନେ କଙ୍ଗାରୁ, ୱାଲାବି ଓ ଜେବ୍ରା ଭଳି ନୂଆ ପ୍ରାଣୀଙ୍କୁ ମଧ୍ୟ ଦେଖିପାରିବେ ବୋଲି ସେ କହିଥିଲେ।

Comments (0)
Add Comment