ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଉଦଘାଟିତ ।

ସୁବର୍ଣ୍ଣପୁର ,୧୫/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ରୟାଲ ପଡିଆ ଠାରେ ରବିବାର ଦିନ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଉଦଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୂର୍ଗାଦତ୍ତ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ତେଣୁ, ଏହି ବିକାଶ ଧାରାକୁ ବଜାୟ ରଖିବା ପାଇଁ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳନ କରୁଥିବା ଚାଷି ମାନଙ୍କୁ ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବାବେଳେ ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ମେଳାରେ ସର୍ବମୋଟ ୩୦ ଗୋଟି ଷ୍ଟଲ ନିର୍ମାଣ କରାଯାଇ ଥିବାବେଳେ ୮ ଗୋଟି ଷ୍ଟଲ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଓ ବିଭିନ୍ନ ପ୍ରକାରର ଗାଈ, ମଇଁଷି, କୁକୁଡ଼ା, ଅନ୍ୟ ପ୍ରାଣୀସମ୍ପଦ ପ୍ରଦର୍ଶନ କରାଯାଇଛି । ମତ୍ସ୍ୟ ବିଭାଗ ଦ୍ଵାରା ୬ଟି ଷ୍ଟଲ ଗୁଡ଼ିକ ତାଙ୍କ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଦର୍ଶନୀ ପାଇଁ ବ୍ୟବହୃତ ହୋଇଛି। ଅବଶିଷ୍ଟ ଷ୍ଟଲ ଗୁଡ଼ିକ ବିଭିନ୍ନ ବିଭାଗ ଦ୍ଵାରା ସଂପୃକ୍ତ ବିଭାଗର ଯୋଜନା ଓ କାର୍ଯ୍ୟକଳାପର ପ୍ରଦର୍ଶନ ନିମନ୍ତେ ବ୍ୟବହାର କରାଯାଇଛି। ଏହି ମେଳାକୁ ଅତିଥିମାନେ ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ।ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସଫଳ ଚାଷୀ
ପ୍ରାଣୀ ସମ୍ପଦ ବିକାଶ ବିଭାଗର ଗୋପାଳନ ଯୋଜନାରେ ବୀରମହାରାଜପୁର ର ମୁକେଶ ପ୍ରଧାନ ଘୁଷୁରୀ ପାଳନ ପାଇଁ ବିନିକାର ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ମତ୍ସ୍ୟ ବିଭାଗର ମତ୍ସ୍ୟ ପୋଖରୀ ଯୋଜନା ପାଇଁ ତରଭାର ବିଲେଇ ନନ୍ଦ ଓ
ସୋନପୁର ବ୍ଲକର ମା ଜଗତ ଜନନୀ ମହିଳା ସ୍ଵୟଂ ସହାୟକ ଦଳକୁ ମତ୍ସ୍ୟ ଚାଷ ପାଇଁ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ବିନିକା ବ୍ଲକର ମା ମାହେଶ୍ୱରୀ ସାଂସ୍କୃତିକ ସାଂସଦ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପିପିଲିପାଲି ଓ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଜିଲ୍ଲାର ବହୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀ, ଜନସାଧାରଣ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -ଶାନ୍ତୁନୁ କୁମାର କର୍ଣ୍ଣ

Comments (0)
Add Comment